fbpx

ପିରିୟଡସ୍ ପାଇଁ ଛାତ୍ରୀଙ୍କୁ ମିଳିବ ଛୁଟି: ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ମହିଳା ଓ ଛାତ୍ରୀଙ୍କ କ୍ଷେତ୍ରରେ ମାସିକ ଧର୍ମ ଏକ ବଡ଼ ସମସ୍ୟା । ତେବେ ପିରିୟଡସ କାରଣରୁ ହେଉଥିବା ଯନ୍ତ୍ରଣା କାରଣରୁ ମହିଳା ତଥା ଛାତ୍ରୀଙ୍କୁ ଛୁଟି ପ୍ରଦାନ ନେଇ ଦୀର୍ଘ ସମୟ ଧରି ମାମଲା ଚାଲି ଆସିଛି । ଏହି ଛୁଟିକୁ ପ୍ରଭାବୀ ଢଙ୍ଗରେ ଲାଗୁ କରିବା ନେଇ ସୁପ୍ରିମକୋର୍ଟରେ ଯାଚିକା ମଧ୍ୟ ଦାୟର ହୋଇଛି । ତେବେ ନିକଟରେ ଛାତ୍ରୀଙ୍କୁ ମାସିକ ଧର୍ମ ଛୁଟି ମିଳିବା ନେଇ ଏକ ବଡ଼ ନିଷ୍ପତ୍ତି ହୋଇଛି । ଏହାଦ୍ୱାରା ଛାତ୍ରୀମାନଙ୍କୁ ଆଉ ପୂର୍ବ ପରି ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ ।

ସୂଚନା ମୁତାବକ, କେରଳ ସ୍ଥିତ କୋଚିନ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ସିୟୁଏସଏଟି) ପକ୍ଷରୁ ଏହି ବଡ଼ ଘୋଷଣା କରାଯାଇଛି । ଛାତ୍ରୀମାନେ ଏଣିକି ପ୍ରତ୍ୟେକ ସେମିଷ୍ଟରରେ ୨ ପ୍ରତିଶତ ଅତିରିକ୍ତ ଲିଭ୍ ବେନିଫିଟ୍ ପାଇପାରିବେ । ଏହି ୟୁନିଭରସିଟି ପକ୍ଷରୁ ଛାତ୍ରୀମାନଙ୍କୁ ମାସିକ ଧର୍ମ ଛୁଟି ପ୍ରଦାନ ନେଇ ନିଷ୍ପତ୍ତି ନିଆଯାଇଛି ।

ବର୍ତ୍ତମାନ କେବଳ ୭୫ ପ୍ରତିଶତ ଉପସ୍ଥାନ ରହିଥିବା ପ୍ରାର୍ଥୀମାନେ ସେମିଷ୍ଟର ଦେଇପାରିବେ ବୋଲି ନିୟମ ରହିଛି । ଏଥିରୁ ଉପସ୍ଥାନ କମ୍ ହେଲେ ୟୁନିଭରସିଟିର ଭାଇସ୍ ଚାନ୍ସେଲରଙ୍କୁ ଲିଭ୍ ଆପ୍ଲିକେସନରେ ମେଡିକାଲ ସାର୍ଟିଫିକେଟ ଦିଆଯାଇଥାଏ । ତେବେ ବର୍ତ୍ତମାନ ମାସିକ ଧର୍ମ ଛୁଟି ପାଇଁ ମେଡିକାଲ ସାର୍ଟିଫିକେଟର ଆବଶ୍ୟକତା ପଡ଼ିବ ନାହିଁ । ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କୁ ମାସିକ ଧର୍ମ ଛୁଟି ପ୍ରଦାନ ନେଇ ଏସଏଫଆଇର ଛାତ୍ର ସଂଘ ପକ୍ଷରୁ ଦାବି କରାଯାଇଥିଲା । ଏହାପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଥିଲେ । ଗତ ମାସରେ କେରଳର ମହାତ୍ମା ଗାନ୍ଧି ବିଶ୍ୱବିଦ୍ୟାଳୟ ରାଜ୍ୟରେ ପ୍ରଥମ ଥର ପାଇଁ ପୋଷ୍ଟ ଗ୍ରାଜୁଏଟ ଛାତ୍ରୀଙ୍କୁ ୬୦ ଦିନର ମାତୃତ୍ୱ କାଳୀନ ଛୁଟି ଦେବାକୁ ନିଷ୍ପତ୍ତି ନେଇଥିଲା । ଏଥିସହିତ ଦେଶର ଅନେକ ବଡ଼ ବଡ଼ କମ୍ପାନୀ ମଧ୍ୟ ପିରିୟଡସ୍ ଲିଭ୍ ଅଫର କରୁଛନ୍ତି ।

Get real time updates directly on you device, subscribe now.