ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶରେ ମେଡିକାଲ ଶିକ୍ଷା କ୍ଷେତ୍ରରେ ନ୍ୟାସନାଲ ଏଗଜିଟ ଟେଷ୍ଟ (ନେକ୍ସଟ) ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହାଫଳରେ ଛାତ୍ରଛାତ୍ରୀଙ୍କୁ ଏଣିକି ନିଟ୍ ପିଜି ପରୀକ୍ଷା ବଦଳରେ ନେକ୍ସଟ ପରୀକ୍ଷାରେ କ୍ୱାଲିଫାଏ ହେବାକୁ ପଡ଼ିବ । ତେବେ ଏହା ମଧ୍ୟରେ ନେକ୍ସଟ ପରୀକ୍ଷାକୁ ନେଇ ଏକ ବଡ଼ ଅପଡେଟ୍ ଆସିଛି । ଏମବିବିଏସରେ ନାମଲେଖାଇବାର ୧୦ ବର୍ଷ ପର୍ଯ୍ୟନ୍ତ ପରୀକ୍ଷାର୍ଥୀ ନେକ୍ସଟ ପରୀକ୍ଷା ଦେଇପାରିବେ ।
ତେବେ ସୂଚନା ମୁତାବକ, ନେକ୍ସଟ ପରୀକ୍ଷା ପାଇଁ ଏନଏମସି ଅଲଗା ଭାବେ ଏକ ବୋର୍ଡ ଗଠନ କରିବାକୁ ନିଷ୍ପତ୍ତି ନେଇଛି । ଏହି ପରୀକ୍ଷାର ଆୟୋଜନ ଦେଶରେ କିପରି କରାଯିବ, ସେନେଇ ଡ୍ରାଫ୍ଟ ନିୟମ ମଧ୍ୟ ଜାରି ହୋଇଛି । ଛାତ୍ରଛାତ୍ରୀମାନେ ଏମବିବିଏସରେ ନାମଲେଖାଇବାର ୧୦ ବର୍ଷ ପର୍ଯ୍ୟନ୍ତ ବାରମ୍ବାର ନେକ୍ସଟ ପରୀକ୍ଷା ଦେଇ ପାରିବେ । ବର୍ଷକୁ ଗୋଟିଏ ଥର ରେଗୁଲାର ଓ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ ।
ଯଦି ରେଗୁଲାର ପରୀକ୍ଷାରେ କୌଣସି ପ୍ରାର୍ଥୀ ଫେଲ ହୁଅନ୍ତି ବା କମ୍ ନମ୍ବର ରଖନ୍ତି, ତେବେ ସେ ସେହିବର୍ଷ ହେବାକୁ ଥିବା ସପ୍ଲିମେଣ୍ଟାରୀ ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ । ଅର୍ଥାତ ପ୍ରାର୍ଥୀଙ୍କୁ ବର୍ଷକୁ ଦୁଇଥର ପରୀକ୍ଷା ଦେବାର ସୁଯୋଗ ଦିଆଯିବ । ତେବେ ଏନଏମସି ଏଥିପାଇଁ ଏକ ଡ୍ରାଫ୍ଟ ନିୟମ ଜାରି କରି ଚଳିତ ମାସର ଅନ୍ତିମ ସପ୍ତାହ ସୁଦ୍ଧା ଏହି ନିୟମ ଉପରେ ଆପତ୍ତି ଓ ପରାମର୍ଶ ମାଗିଛି । ଏନେଇ ଏନଏମସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏମବିବିଏସରେ ପ୍ରବେଶ କରିବାର ୧୦ ବର୍ଷ ମଧ୍ୟରେ କୌଣସି ପ୍ରାର୍ଥୀ ଏକାଧିକ ବାର ନେକ୍ସଟ ପରୀକ୍ଷାରେ ବସିପାରିବେ । ୧୦୦ ଅଙ୍କର ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଅତି କମରେ ୫୦ ମାର୍କ ଆଣିବା ବାଧ୍ୟତାମୂଳକ । ଯେଉଁମାନେ ଛଅଟି ପେପରରୁ ଗୋଟିଏ ବା ଅଧିକ ପେପରରେ ଫେଲ୍ ହୋଇଥିବେ ବା କମ୍ ମାର୍କ ରଖିଥିବେ ସେମାନେ ପରୀକ୍ଷା ଦେଇପାରିବେ ।