ଜେସିଣ୍ଡା ଆରଡର୍ଣ୍ଣଙ୍କ ସ୍ଥାନରେ କ୍ରିସ ହିପକିନ୍ସ ହେବେ ନ୍ୟୁଜିଲାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜେସିଣ୍ଡା ଆରଡର୍ଣ୍ଣଙ୍କ ସ୍ଥାନରେ କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ । ଲେବର ପାର୍ଟିରୁ ଏକମାତ୍ର ପ୍ରାର୍ଥୀମାନେ କ୍ରିସ ମନୋନୀତ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି । ଆସନ୍ତା ରବିବାର ଦିନ ଲେବର ପାର୍ଟିର ୬୪ ଜଣ ଲ’ମେକର୍ସଙ୍କୁ ନେଇ ଏକ ବୈଠକ ବସିବ । ତେବେ ବୈଠକରେ ହିପକିନ୍ସ ଦଳର ନୂଆ ନେତା ହେବା ନେଇ ଚୂଡ଼ାନ୍ତ କରାଯିବ ।

ତେବେ ଗତ ଗୁରୁବାର ଦିନ ଆରଡର୍ଣ୍ଣ ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଥିଲେ । ସେ ପ୍ରଧାନମନ୍ତ୍ରୀ ପଦରୁ ଅବ୍ୟାହତି ନେଇଯିବେ ଓ ପୁନର୍ବାର ନିର୍ବାଚନ କରାଇବା ସପକ୍ଷରେ ନାହାନ୍ତି ବୋଲି କହିଥିଲେ । ୪୪ ବର୍ଷୀୟ ହିପକିନ୍ସ ଗତ ୨୦୦୮ରେ ଲେବର ପାର୍ଟିରୁ ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଥିଲେ । ଗତ ୨୦୨୦ ନଭେମ୍ବର ମାସରେ କୋଭିଡ-୧୯ର ମୁକାବିଲା କରିବା ପାଇଁ ତାଙ୍କୁ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିଲା । ସେ ମହାମାରୀର ମୁକାବିଲା ପାଇଁ ସରକାରଙ୍କ ତରଫରୁ ନେତୃତ୍ୱ ନେଇ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିଲେ । ସେ ବର୍ତ୍ତମାନ ପୋଲିସ, ଶିକ୍ଷା ଓ ଜନସାଧାରଣ ସେବା ମନ୍ତ୍ରୀ ସହିତ ଗୃହର ନେତା ଦାୟିତ୍ୱରେ ରହିଛନ୍ତି ।

ତେବେ ହିପକିନ୍ସ ଭୋଟରଙ୍କ ମଧ୍ୟରେ ସବୁଠାରୁ ପ୍ରିୟ ପ୍ରାର୍ଥୀ ବୋଲି ସ୍ଥାନୀୟ ମିଡ଼ିଆ ସଂସ୍ଥାର ଏକ ରିସର୍ଚ୍ଚରୁ ଜଣାପଡ଼ିଛି । ଆସନ୍ତା ରବିବାର ଦିନ ଅପରାହ୍ଣରେ ବସିବାକୁ ଥିବା ମିଟିଂରେ ହିପକିନ୍ସଙ୍କ ନାମ ଲେବର ଲ’ମେକର୍ସଙ୍କ ତରଫରୁ ଫାଇନାଲ କରାଯିବ । ଏହାପରେ ହିପକିନ୍ସଙ୍କ ନିଯୁକ୍ତି ପୂର୍ବରୁ ଆରଡର୍ଣ୍ଣ ତାଙ୍କର ଇସ୍ତଫା ପତ୍ର ଗଭର୍ଣ୍ଣର ଜେେନେରାଲଙ୍କୁ ପ୍ରଦାନ କରିବେ । ତେବେ ଆସନ୍ତାକାଲି ଏ ବାବଦରେ ଏକ ପ୍ରେସମିଟ କରାଯିବ । ଏହାପରେ ଦଳର କାର୍ଯ୍ୟକାଳ ସମାପ୍ତ ପର୍ଯ୍ୟନ୍ତ ହିପକିନ୍ସ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବେ ।