fbpx

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତି, ସରକାରୀ ଅନୁଦାନ ପ୍ରାପ୍ତ କଲେଜର ଗ୍ରାଣ୍ଟ ଇନ ଏଡ୍‍ ବୃଦ୍ଧି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍‍ର ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଥିବା ଜଣାପଡ଼ିଛି। ଏଥିରେ ଅନୁଦାନ ପ୍ରାପ୍ତ ସରକାରୀ କଲେଜରେ ଗ୍ରାଣ୍ଟ ଇନ୍‍ ଏଡ୍‍କୁ ବୃଦ୍ଧି କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଉନ୍ନୟନ କମିଶନର ପ୍ରଦୀପ ଜେନା କହିଛନ୍ତି, ଓଡ଼ିଶା ସଂଶୋଧିତ ବେତନ ହାର ନିୟମ ୨୦୧୭କୁ ପିଛିଲା ଭାବେ ୨୦୨୨ଠାରୁ ଲାଗୁ କରାଯିବ। ଏହାଦ୍ୱାରା ୧୫ ହଜାର ୭୭୧ ଜଣ ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ। ଏଥିପାଇଁ ସରକାର ବାର୍ଷିକ ଅତିରିକ୍ତ ୨୯୦ କୋଟି ଟଙ୍କା ବ୍ୟୟ କରିବେ।

ଏହା ବ୍ୟତୀତ କେନ୍ଦ୍ର ତାଲିକାଭୁକ୍ତ ୨୨ଟି ଜାତିକୁ ରାଜ୍ୟ ସରକାର ଏସ୍‍ଇବିସି ତାଲିକାଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜିଏସ୍‍ଟି ଏବଂ ସିଟିରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରମାନଙ୍କ ପାଇଁ କ୍ୟାଡର ରୁଲ୍‍ ଲାଗୁ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ଉଭୟ ବିଭାଗରେ ୧୪୭ ଜଣ ଡାଟା ଏଣ୍ଟ୍ରି ଅପରେଟର ଉପକୃତ ହେବେ। ଗ୍ରୀମଣ ପାଇପ୍‍ ଜଳ ଯୋଗାଣରେ ୨ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଯାଜପୁରର ବରେଇ ଓ କୋରେଇରେ ଏହି ପ୍ରକଳ୍ପ ହେବ। ଏହି ପ୍ରକଳ୍ପ କାର୍ଯ୍ୟ ୫ ବର୍ଷରେ ଶେଷ ହେବ।

ସେହିପରି ନୟାଗଡ଼ର ୩ଟି, ମାଲକାନଗିରିର ଚାରୋଟି ବ୍ଲକରେ ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ଦେଇଛି କ୍ୟାବିନେଟ୍‍। ଜଳେଶ୍ୱର ଗୋବରା ଘାଟରେ ସୁବର୍ଣ୍ଣରେଖା ନଦୀ ଉପରେ ଏକ ସେତୁ ନିର୍ମାଣ ହେବା ନେଇ ନିଷ୍ପତ୍ତି ହୋଇଛି। ଏହି ସେତୁ ନିର୍ମାଣ ପାଇଁ ୧୦୧ କୋଟି ଟଙ୍କା ବ୍ୟୟବରାଦ ହେବା ସହ ୩୬ ମାସରେ କାର୍ଯ୍ୟସମ୍ପନ୍ନ ନେଇ ଲକ୍ଷ୍ୟ ରଖାଯାଇଛି। କ୍ୟାନ୍‍ସର ରୋଗୀଙ୍କ ରହଣି ପାଇଁ ସରକାର ଜମି ଯୋଗାଇଦେବେ। ଚିକିତ୍ସା ସମୟରେ ରୋଗୀମାନଙ୍କର ରହଣି ପାଇଁ ସେହି ଜମିରେ ଘର ନିର୍ମାଣ କରାଯିବ। ବାଗ୍‍ଚୀ ଶ୍ରୀ ଶଙ୍କର କେୟାର କ୍ୟାନସର ସେଣ୍ଟରକୁ ରାଜ୍ୟ ସରକାର ଏଥିପାଇଁ ୨ ଏକର ଜମି ଯୋଗାଇ ଦେବେ ବୋଲି ଶ୍ରୀ ଜେନା କହିଛନ୍ତି।

Get real time updates directly on you device, subscribe now.