fbpx

ଆମେରିକୀୟ ବୈଜ୍ଞାନିକଙ୍କ ଚେତାବନୀ: ଭାରତକୁ ମାଡ଼ି ଆସିବ କ୍ୟାନ୍ସର ସୁନାମୀ, ମାଦକ ଦ୍ରବ୍ୟଠାରୁ ଦୂରରେ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ,୨୧ା୧: ଖୁବ୍‌ଶୀଘ୍ର ଭାରତକୁ ମାଡ଼ି ଆସିବ କ୍ୟାନ୍‌ସର ସୁନାମୀ। ଏନେଇ ଏବେଠୁ ସତର୍କ ରହିବା ସହ ଜୀବନ ଶୈଳୀ ବଦଳାଇବା ଉପରେ ଗୁରୁତ୍ୱରୋପ କରିଛନ୍ତି ଆମେରିକୀୟ ବୈଜ୍ଞାନିକ। ଆମେରିକାର କ୍ଲିବ୍‌ଲ୍ୟାଣ୍ଡ କ୍ଲିନିକ୍‌ର ହେମାଟୋଲୋଜି ଏବଂ ଆଙ୍କୋଲୋଜି ବିଭାଗର ଅଧ୍ୟକ୍ଷ ଡ. ଜାମ୍ମେ ଆବ୍ରାହମ କହିଛନ୍ତି ଯେ ଆଗାମୀ ଦିନରେ ଭାରତକୁ କରୋନା ପରି କ୍ୟାନ୍ସର ସୁନାମୀକୁ ସାମ୍ନାକରିବାର ଯଥେଷ୍ଟ
ସମ୍ଭାବନା ରହିଛି। ଗ୍ଲୋବାଲାଇଜେସନ, ବର୍ଦ୍ଧିତ ଅର୍ଥ ବ୍ୟବସ୍ଥା, ହୁ ହୁ ହୋଇ ବଢୁଥିବା ଜନସଂଖ୍ୟା ଏବଂ ଆଧୁନିକ ସମାଜରେ ଲୋକଙ୍କ ଆଧୁନିକ ଜୀବନ ଶୈଳୀ ଏହି ରୋଗର ବୃଦ୍ଧିରେ ସହାୟକ ହେବ ବୋଲି ସେ କହିଛନ୍ତି।

ତେଣୁ କ୍ୟାନ୍ସରର ଏଭଳି ବିପତ୍ତିକୁ ଭାରତ ଏଡ଼ାଇବା ପାଇଁ ଚିକିତ୍ସା ଜ୍ଞାନ କୌଶଳ ଉପରେ ଗୁରୁତ୍ୱ ଦେବା ଜରୁରୀ ବୋଲି ସେ ସତର୍କ କରାଇ ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଉଲ୍ଲେଖ
କରାଯାଇଛି ଯେ ୨୦୨୦ରୁ ୨୦୨୨ ମଧ୍ୟରେ କ୍ୟାନ୍ସର ରୋଗୀ ଓ ଏହି ରୋଗରେ ହେଉଥିବା ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିଛି । ୨୦୨୦ରେ ଭାରତରେ ୧୩.୯୨ ଲକ୍ଷ କ୍ୟାନ୍ସର ରୋଗୀ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଥିଲା ୭.୭୦ ଲକ୍ଷ। ସେହିଭଳି ୨୦୨୧ରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ୧୪.୨୬ ଲକ୍ଷ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଁ ୭.୮୯ ଲକ୍ଷରେ ପହଞ୍ଚିଥିଲା। ୨୦୨୨ରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ୧୪.୬୧ ଲକ୍ଷ ଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଁ ୮.୮ ଲକ୍ଷରେ ପହଞ୍ଚିଛି।

ଏହି ରିପୋର୍ଟ ମୁତାବକ ଆକ୍ରାନ୍ତ ଓ ମୃତ୍ୟୁ ହାରରେ ଚୀନ୍ ଓ ଆମେରିକା ପରେ ଭାରତ ତୃତୀୟ ସ୍ଥାନରେ ରହିଛି। ଭାରତର ଅଧିକାଂଶ ପୁରୁଷଙ୍କ ଠାରେ ମୁଖ କର୍କଟ ଓ ଲଙ୍ଗସ କ୍ୟାନ୍ସର ଦେଖା ଦେଉଥିବା ବେଳେ ମହିଳାଙ୍କ ଠାରେ ସ୍ତନ କର୍କଟ ଓ ଗର୍ଭାଶୟ କର୍କଟ ରୋଗ ଅଧିକ ରହିଛି। କେବଳ ୨୦୧୮ରେ ଦେଶରେ ୮୭ ହଜାର ମହିଳାଙ୍କ ସ୍ତନ କର୍କଟରେ ମୃତ୍ୟୁ ଘଟିଥିଲା। ତେଣୁ ଜୀବନ ଶୈଳୀରେ ପରିବର୍ତ୍ତନ ଆଣି ପାରିଲେ କ୍ୟାନ୍ସରରୁ ଅନେକାଂଶରେ ରକ୍ଷା ପାଇ ହେବ ବୋଲି ଆବ୍ରାହମ କହିଛନ୍ତି। ଏଥିସହ ରେଗୁଲାର ମେଡ଼ିକାଲ ଚେକ୍‌ଅପ୍ ଓ ଅତ୍ୟାଧୁନିକ ଡାକ୍ତରୀ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଗଲେ କ୍ୟାନ୍ସର ପରି ଘାତକ ରୋଗକୁ ମାତ୍ ଦିଆଯାଇ ପାରିବ ବୋଲି ଏହି ବୈଜ୍ଞାନିକ ଜଣଙ୍କ କହିଛନ୍ତି।

Get real time updates directly on you device, subscribe now.