fbpx

ବିଶିଷ୍ଟ ସାହିତ୍ୟିକା ନିର୍ମଳାପ୍ରଭା ନାୟକ ଆଉ ନାହାନ୍ତି: ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁଙ୍କ ମାତୃ ବିୟୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶିଷ୍ଟ ସାହିତ୍ୟିକା ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ମାଆ ନିର୍ମଳାପ୍ରଭା ନାୟକଙ୍କ ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱର ସ୍ଥିତ ଏକ ପ୍ରାଇଭେଟ ଡାକ୍ତରଖାନାରେ ନିର୍ମଳା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଗତ କିଛିଦିନ ଧରି ଅସୁସ୍ଥ ଥିବାବେଳେ ଗତକାଲି ସେ ୮୩ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି ।

ନିର୍ମଳା ଗତ ୨୦୨୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ‘ବିଶିଷ୍ଟ ସାରସ୍ୱତ ସାଧିକା’ ସମ୍ମାନରେ ସମ୍ମାନିତ ହୋଇଥିଲେ । ନିର୍ମଳା ହେଉଛନ୍ତି ପାଟକୁରା ଗାନ୍ଧି ତଥା ପୂର୍ବତନ ବିଧାୟକ ରାଜକିଶୋର ନାୟକଙ୍କ ଧର୍ମପତ୍ନୀ । ତାଙ୍କର ମୃତ୍ୟୁରେ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲା ସହ ସାରା ରାଜ୍ୟରେ ଶୋକର ଲହରୀ ଖେଳି ଯାଇଛି । ସେ ୩୫ ବର୍ଷରୁ ଅଧିକ ସମୟ ଧରି ଶିକ୍ଷକତା କରିବା ପରେ ଅବସର ଗ୍ରହଣ କରିଥିଲେ ।

‘ସାହାହ୍ନର ସ୍ମୃତି’ ପୁସ୍ତକ ପାଇଁ ନିର୍ମଳା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲେ । ସେ ପୁରସ୍କାର ବାବଦରେ ପାଇଥିବା ଅର୍ଥରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଦେଇଥିଲେ । ୫ ଦିନ ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଗତକାଲି ରାତି ୯ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କର ଅନ୍ତିମ ସମୟରେ ୨ ପୁଅ, ୨ ବୋହୁ, ଝିଅ, ଜ୍ୱାଇଁ, ନାତୁନାତୁଣୀ ଉପସ୍ଥିତ ରହିଥିଲେ । ନିର୍ମଳାଙ୍କ ମୃତ୍ୟୁରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲଙ୍କଠାରୁ ଆରମ୍ଭ କରି ବହୁ ରାଜନେତା, ପ୍ରଶାସକ, ସାହିତ୍ୟିକ, ବନ୍ଧୁ, ଶୁଭେଚ୍ଛୁ ଗଭୀର ସମବେଦନା ଜଣାଇଛନ୍ତି ।

Get real time updates directly on you device, subscribe now.