fbpx

ଓଡ଼ିଶାରେ ୨୦୨୪ ସୁଦ୍ଧା BSNL ପକ୍ଷରୁ ୫ଜି ସେବା

ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ଆସନ୍ତା ୨୦୨୪ ସୁଦ୍ଧା ବିଏସ୍‍ଏନ୍‍ଏଲ୍‍ ପକ୍ଷରୁ ୫ଜି ସେବା ଆରମ୍ଭ ହେବ। ଏଥିପାଇଁ ବିଏସ୍‍ଏନ୍‍ଏଲ୍‍ ପକ୍ଷରୁ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି। ବିଏସ୍‍ଏନ୍‍ଏଲ୍‍ ଓଡ଼ିଶା ମୁଖ୍ୟ ତଥା ବରିଷ୍ଠ ଉପମହାନିର୍ଦ୍ଦେଶକ ବି.କେ.ନାୟକ କହିଛନ୍ତି, ଓଡ଼ିଶାରେ ଏ ପର୍ଯ୍ୟନ୍ତ ବିଏସ୍‍ଏନ୍‍ଏଲ୍‍ ପକ୍ଷରୁ ୪ଜି ସେବା ଆରମ୍ଭ ହୋଇନାହିଁ ଏଥିପାଇଁ କାର୍ଯ୍ୟଚାଲିଛି। ପ୍ରଥମ ପର୍ଯ୍ୟାୟରେ ପୁରୀ-ଭୁବନେଶ୍ୱର ମଧ୍ୟରେ ଯାଇଥିବା ୩୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଏବଂ ଦୁଇ ସହରରେ ଅଗଷ୍ଟ ମାସ ସୁଦ୍ଧା ୪ଜି ସେବା ଆରମ୍ଭ ହେବ। ଏହାପରେ ୫ଜି ସେବା ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟର ୧୦ଟି ଜିଲ୍ଲାରେ ରିଲାଏନ୍ସ ଜିଓ ଓ ଏୟାରଟେଲ ପକ୍ଷରୁ ୫ଜି ସେବା ପ୍ରଦାନ କରାଯାଉଛି।

ଭାରତରେ ଯଦି ବିଏସଏନଏଲ ର ୫ଜି ସେବା ଆରମ୍ଭ କରେ ବର୍ତ୍ତମାନ ଦେଉଥିବା ରିଲାଏନ୍ସ ଜିଓ ଏବଂ ଏୟାରଟେଲ ପାଇଁ ଚ୍ୟାଲେଞ୍ଜ ବଢିପାରେ। ରିପୋର୍ଟ ଅନୁଯାୟୀ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସମ୍ପ୍ରତି,ବିଏସଏନଏଲ ୪ଜି ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। ଚଳିତ ବର୍ଷ ୨୦୨୩ ସୁଦ୍ଧା ୪ଜି ସେବା ଆରମ୍ଭ ହେବ ବୋଲି ଆଶା କରାଯାଉଛି। ବିଏସଏନଏଲ ସମ୍ପ୍ରତି ଏହାର ଉପଭୋକ୍ତାମାନଙ୍କୁ ଏବେ ୩ଜି ସେବା ଯୋଗାଉଛି, କିନ୍ତୁ ଆଗାମୀ ଦିନରେ ୪ଜି ନେଟୱାର୍କ ସୁବିଧା ମଧ୍ୟ ଆରମ୍ଭ କରିବ। ୪ଜି ପ୍ରବର୍ତ୍ତନ କରିବାର ଏକ ବର୍ଷ ମଧ୍ୟରେ କମ୍ପାନୀ ଏହାର ନେଟୱାର୍କ ସେବାକୁ ୫ଜି କୁ ଅପଗ୍ରେଡ୍ କରିବ। ବର୍ତ୍ତମାନ, କମ୍ପାନୀ C-DOT ଏବଂ TCS ସହଯୋଗରେ ୩ଜି ଅପଗ୍ରେଡ୍ ଅର୍ଥାତ୍ ୪ଜି ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ।

ସୂଚନାମୁତାବକ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ଏୟାରଟେଲ ଏବଂ ଜିଓ ୫ଜି ସେବା ଆରମ୍ଭ କରିବା ସମୟରେ ବିଏସଏନଏଲ ୫ଜି ଲଞ୍ଚ ବିଷୟରେ ଘୋଷଣା କରିଛନ୍ତି। ସେ ଏହି ସମୟରେ କହିଛନ୍ତି ଯେ ୨୦୨୪ ବର୍ଷର ମାର୍ଚ୍ଚ କିମ୍ବା ଏପ୍ରିଲରେ ବିଏସଏନଏଲ ୫ଜି ପ୍ରଚଳନ କରାଯିବ। ଗତ ବର୍ଷର ଶେଷ ମାସରେ ଭାରତରେ ୫ଜି ସେବା ଆରମ୍ଭ କରାଯାଇଥିଲା। ଏହାର ଏକ ଅଂଶ ହୋଇଥିବା ଏୟାରଟେଲ ଏବଂ ଜିଓ କମ୍ପାନୀ ଭାରତର ଅଧିକାଂଶ ଅଞ୍ଚଳରେ ସେମାନଙ୍କର ୫ଜି ସେବା ଆରମ୍ଭ କରିଛନ୍ତି। ଯେତେବେଳେ କି, ୨୦୨୪ ସୁଦ୍ଧା ୫ଜି ସମଗ୍ର ଭାରତରେ ଅଣାଯାଇପାରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.