fbpx

ରାଜ୍ୟରେ ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ: ଦାବିଗୁଡ଼ିକ ସଂକ୍ରାନ୍ତ୍ରରେ ଆଲୋଚନା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ୱର: ରାଜ୍ୟରେ ଡ୍ରାଇଭର ସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ଷ୍ଟିଅରିଂ ଛାଡ ଆନ୍ଦୋଳନ ହେଉଛି। ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନ୍‍ସନ୍‍, ସଡକ ଯାତ୍ରାବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର ଏବଂ ଶୌଚାଳୟ ବ୍ୟବସ୍ଥା ଭଳି ୧୦ଟି ଦାବି ଉଠାଇ ମହାସଂଘ ଏହି ଆନ୍ଦୋଳନର ଡାକରା ଦେଇଛି। ଏହାରି ମଧ୍ୟରେ ଡ୍ରାଇଭର ମାନଙ୍କର ଆନ୍ଦୋଳନକୁ ନେଇ ବଡ ଖବର ଆସିଛି। ଡ୍ରାଇଭର ସଙ୍ଘର ଷ୍ଟିୟରିଂ ଛାଡ଼ ଧର୍ମଘଟକୁ ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଡ୍ରାଇଭର ସଙ୍ଘର ଦାବିଗୁଡ଼ିକ ସଂକ୍ରାନ୍ତ୍ରରେ ଆଲୋଚନା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।

ସେ କହିଛନ୍ତି ଏହି ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକ ହଇରାଣ ହେଉଛନ୍ତି। ଡ୍ରାଇଭର ସଂଘର ଦାବି ନେଇ ମୁଖ୍ୟମନ୍ତ୍ରୀ ସକାରାତ୍ମକ ଭାବେ ଚିନ୍ତା କରୁଛନ୍ତି। ଧର୍ମଘଟ ନ କରିବା ପାଇଁ ଗତକାଲି ଡ୍ରାଇଭର ସଙ୍ଘକୁ ନିବେଦନ କରାଯାଇଥିଲା। ତେବେ ସରକାରଙ୍କ କଥାକୁ ଖାତିର କରି ନଥିଲେ ଡ୍ରାଇଭର ମହାସଂଘ। ତେଣୁ ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନବେଳେ ଜରୁରୀକାଳିନ ସେବାରେ ନିୟୋଜିତ ଯାନବାହନ ଭଳି ଆମ୍ବୁଲାନ୍ସ ସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକୁ ବାଦ୍‍ ଦିଆଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ରାୟଗଡ଼ା ଜିଲ୍ଲାରେ ମଧ୍ୟ ମହାସଂଘ ପକ୍ଷରୁ ଧର୍ମଘଟ ଏବଂ ଷ୍ଟିଅରିଂ ଛାଡ ଆନ୍ଦୋଳନ ଜାରି ରହିଛି।

Get real time updates directly on you device, subscribe now.