fbpx

ଲୋକସଭାର ସଦସ୍ୟତା ହରାଇବେ ରାହୁଲ, ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ି ପାରିବେନି? କ’ଣ ରହିଛି ବିକଳ୍ପ, କ’ଣ କହୁଛି ଭାରତର ଆଇନ ବ୍ୟବସ୍ଥା

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଇଁ ଆଜି ଦିନଟି ବୋଧହୁଏ ଥିଲା ଏକ ଅଶୁଭ ଦିନ । ୪ ବର୍ଷର ଏକ ପୁରୁଣା ମାମଲାରେ ସୂରତ ସେଶନ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସହ ୨ ବର୍ଷର ଜେଲଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମାମଲାରେ ଅଦାଲତ ରାହୁଲଙ୍କୁ ଜାମିନ ପ୍ରଦାନ କରିଥିଲେ ହେଁ ଦୁଇ ବର୍ଷର ଜେଲଦଣ୍ଡାଦେଶ ତାଙ୍କର ଲୋକସଭା ସଦସ୍ୟତା ଉପରେ ସଙ୍କଟ ସୃଷ୍ଟି କରିଛି । ଏପରିକି ଯଦି ଅଦାଲତରୁ ରାହୁଲଙ୍କୁ ଆଶ୍ୱସ୍ତି ନମିଳେ ତେବେ ସେ ନିଜର ସଦସ୍ୟତା ହରାଇ ପାରନ୍ତି ।

ଜନପ୍ରତିନିଧି ଆଇନ ୧୯୫୧ର ଧାରା ୮ (୧) ଓ (୨) ମୁତାବକ, ଯଦି ଜଣେ ସାଂସଦ କି ବିଧାୟକ କୌଣସି ମାମଲାରେ ୨ ବର୍ଷରୁ ଅଧିକ ସମୟ ପାଇଁ ସଜ୍ଜା କାଟନ୍ତି, ତେବେ ତାଙ୍କର ସଂସଦ ଓ ବିଧାନସଭାର ସଭ୍ୟ ପଦ ରଦ୍ଦ ହୋଇଯିବ । ଏହି ମାମଲା ଅଧିନରେ ହତ୍ୟା, ଦୁଷ୍କର୍ମ, ଧର୍ମ, ଭାଷା ବା ଆଞ୍ଚଳିକ ଆଧାରରେ ଶତ୍ରୁତା ସୃଷ୍ଟି କରିବା, ଆତଙ୍କବାଦୀ ଗତିବିଧି ବା ସମ୍ବିଧାନର ଅପମାନ କରିବା ପରି ଅପରାଧ ସବୁ ସାମିଲ ରହିଛି । କେବଳ ଏତିକି ନୁହେଁ, ଦଣ୍ଡାଦେଶ ସରିବା ପରେ ୬ ବର୍ଷ ପାଇଁ ଉକ୍ତ ଜନପ୍ରତିନିଧି ନିର୍ବାଚନ ଲଢ଼ିବା ନେଇ ଅଯୋଗ୍ୟ ହୋଇ ପାରନ୍ତି । ତେବେ ସେଶନ କୋର୍ଟଙ୍କ ନିଷ୍ପତ୍ତିର କପିକୁ ଯଦି ପ୍ରଶାସନ ଲୋକସଭା ସଚିବାଳୟକୁ ପଠାଇ ଦିଅନ୍ତି ତେବେ ଏହାପରେ ଲୋକସଭା ଅଧ୍ୟକ୍ଷ ଏହାକୁ ସ୍ୱୀକାର କରିବା ପରେ ରାହୁଲଙ୍କର ସଦସ୍ୟତା ସମାପ୍ତ ହୋଇଯିବ । ରାହୁଲଙ୍କୁ ଦୁଇ ବର୍ଷର ଜେଲଦଣ୍ଡାଦେଶ ହୋଇଥିବାରୁ ଏହା ପରେ ସେ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ିପାରିବେ ନାହିଁ । ଏପରି ଭାବେ ମୋଟ ୮ ବର୍ଷ ପର୍ଯ୍ୟନ୍ତ ରାହୁଲ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ହେବେ ।

ତେବେ ନିଜର ସଦସ୍ୟତା ବଜାୟ ରଖିବା ପାଇଁ ରାହୁଲଙ୍କ ନିକଟରେ ଅନେକ ବିକଳ୍ପ ରହିଛି । ସେ ଏ କ୍ଷେତ୍ରରେ ଆଶ୍ୱସ୍ତି ପାଇବା ପାଇଁ ହାଇକୋର୍ଟରେ ଚ୍ୟାଲଞ୍ଜ କରିପାରିବେ । ଏପରି ସ୍ଥଳେ ଉପର କୋର୍ଟ ସୂରତ ସେଶନ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ଥଗିତ ରଖିପାରନ୍ତି । ତା’ପରେ ରାହୁଲଙ୍କର ସଦସ୍ୟତା ବଜାୟ ରହିପାରେ । ଯଦି ହାଇକୋର୍ଟ ମାମଲାକୁ ଷ୍ଟେ ନ ରଖିବେ ତେବେ ଏହା ପରେ ରାହୁଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପାରନ୍ତି । ଯଦି ସୁପ୍ରିମକୋର୍ଟରୁ ଷ୍ଟେ ନ ମିଳେ, ତେବେ ରାହୁଲଙ୍କ ପାଇଁ ସବୁ ରାସ୍ତା ବନ୍ଦ ହୋଇପାରେ ଓ ସେ ସଦସ୍ୟତା ହରାଇପାରନ୍ତି ।

ରାଜନୀତିକୁ ଅପରାଧୀକରଣରୁ ରୋକିବା ପାଇଁ ଗତ ୨୦୧୮ ମସିହା ସେପ୍ଟେମ୍ବର ୨୫ରେ କୋର୍ଟ ଏକ ଆଦେଶ ଜାରି କରିଥିଲେ । ଉକ୍ତ ଆଇନ ଅନୁଯାୟୀ କୋର୍ଟ ଦ୍ୱାରା ଦୋଷୀ ଘୋଷିତ ହୋଇଥିବା ରାଜନେତା ନିର୍ବାଚନ ଲଢ଼ିପାରିବେ ନାହିଁ । ତେବେ ଯେଉଁ ନେତାଙ୍କ ବିରୋଧରେ କେବଳ ମକଦ୍ଦମା ଚାଲିଥିବ, ସେମାନେ ନିର୍ବାଚନ ଲଢ଼ିପାରିବେ ବୋଲି ଉକ୍ତ ଆଇନରେ ଉଲ୍ଲେଖ ରହିଥିଲା ।

ସୂଚନାଯୋଗ୍ୟ ଯେ, ଗତ ୨୦୧୯ ମସିହାରେ କର୍ଣ୍ଣାଟକ ଗସ୍ତ ଅବସରରେ ‘ସବୁ ଚୋରଙ୍କର ମୋଦୀ ସରନେମ କାହିଁକି ରହିଛି’ ବୋଲି ରାହୁଲ ବୟାନ ଦେଇଥିଲେ । ରାହୁଲଙ୍କ ଏହି ବୟାନକୁ ନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ମାମଲା ଦାୟର କରିଥିଲେ । ୪ ବର୍ଷ ତଳର ଉକ୍ତ ମାମଲାର ଶୁଣାଣି ଆଜି ହୋଇଥିଲା । ସୂରତ ସେଶନ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ରାହୁଲଙ୍କୁ ସଙ୍ଗେସଙ୍ଗେ ୩୦ ଦିନ ପାଇଁ ଜାମିନ ମିଳିଯାଇଥିଲା ।

Get real time updates directly on you device, subscribe now.