fbpx

ଧନ୍ୟବାଦ ମୁଖ୍ୟମନ୍ତ୍ରୀ: ରାଜ୍ୟରେ ଗଠନ ହେବ ଡ୍ରାଇଭର କଲ୍ୟାଣ ବୋର୍ଡ, ଲୋକସେବା ଭବନ ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଡ୍ରାଇଭର ଭାଇମାନଙ୍କ ପାଇଁ ଏକ ବଡ଼ ଖୁସି ଖବର । ଖୁବଶୀଘ୍ର ରାଜ୍ୟରେ ଗଠନ ହେବ ଡ୍ରାଇଭର କଲ୍ୟାଣ ବୋର୍ଡ । ତେବେ ଏହି ବୋର୍ଡରେ କେଉଁମାନେ ସଦସ୍ୟ ରହିବେ ସେନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯିବ । ଆଜି ରାଜ୍ୟ ଲୋକସେବା ଭବନରେ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପରିବହନ ସଚିବ, ଶ୍ରମ ଓ ଆଇନ ବିଭାଗର ସଚିବମାନେ ଯୋଗ ଦେଇଥିଲେ ।

ସୂଚନା ମୁତାବକ, ଆସନ୍ତା ମାସ ପ୍ରଥମ ସପ୍ତାହରେ ଦାବି ପୂରଣ କରାଯିବ । ଏନେଇ ଡ୍ରାଇଭର ସଂଘକୁ ପ୍ରତିଶ୍ରୁତି ଦିଆଯାଇଛି । ଅନ୍ୟପକ୍ଷରେ ଧାର୍ଯ୍ୟ ସମୟ ପୂର୍ବରୁ ପ୍ରତିଶ୍ରୁତି ପୂରଣ ହେବାକୁ ଯାଉଥିବାରୁ ଏନେଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛି ଡ୍ରାଇଭର ସଂଘ । ଏହି ଅବସରରେ ସମସ୍ତ ଡ୍ରାଇଭର ଭାଇ ଓ ସଂଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୩ ମାସ ମଧ୍ୟରେ ଡ୍ରାଇଭର ସଂଘର ଦାବିର ସମାଧାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଥିଲା । ଏନେଇ ଗତ ମାର୍ଚ୍ଚ ମାସ ୧୬ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ସହିତ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଥିଲା । ଉକ୍ତ ବୈଠକରେ ଡ୍ରାଇଭର ସଂଘର ସଦସ୍ୟମାନେ ସାମିଲ ହୋଇଥିଲେ । ଗତ ମାସରେ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ବଡ଼ଧରଣର ଆନ୍ଦୋଳନ କରାଯାଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ମୁଖ୍ୟ ଶସାନ ସଚିବ ନିବେଦନ କରିଥିଲେ ।

ଗତ ମାସ ୧୫ ତାରିଖରେ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଥିଲା । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିବା ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ମାର୍ଚ୍ଚ ୧୭ରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା । ସରକାରଙ୍କ ଉପରେ ଭରସା ଓ ବିଶ୍ୱାସ ରଖି ଆନ୍ଦୋଳନ ପ୍ରତ୍ୟାହାର କରାଯାଉଥିବା ସଂଘ ପକ୍ଷରୁ କୁହାଯାଇଥିଲା । ତିନିମାସ ମଧ୍ୟରେ ସଂଘର ଦାବି ପୂରଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଲିଖିତ ଆକାରରେ ଦେଇଥିଲେ ।

Get real time updates directly on you device, subscribe now.