ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ଭାରତୀୟ ମୁଦ୍ରାର ରୂପ ପରିବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମେ ୫୦୦ ଟଙ୍କାରୁ ଆରମ୍ଭ କରି ୧୦ ଟଙ୍କିଆ ନୋଟକୁ ନୂଆ ରୂପରେ ଆଣିବା ପରେ ଏବେ କଏନ୍ ରେ ମଧ୍ୟ ପରିବର୍ତ୍ତନ କରାଯାଉଛି । ପୂର୍ବରୁ ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ କଏନ୍ ମାର୍କେଟରେ ଉପଲବ୍ଧ ହୋଇସାରିଛି । ଏହାପରେ ବର୍ତ୍ତମାନ ୧୦୦ ଟଙ୍କିଆ କଏନ୍ ମାର୍କେଟକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ଖୁବଶୀଘ୍ର ଦେଶରେ ୧୦୦ ଟଙ୍କିଆ କଏନ୍ ପ୍ରଚଳିତ ହେବ ବୋଲି ଜାଣିବାକୁ ମିଳିଛି ।
ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୦୦ ତମ ଏପିସୋଡ ପୂରଣ ଅବସରରେ ଦେଶବାସୀଙ୍କୁ ଏହି ଉପହାର ମିଳିପାରେ । ଏଭଳି ଏକ ଐତିହାସିକ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ମୋଦି ୧୦୦ ଟଙ୍କିଆ କଏନ୍ ର ଉନ୍ମୋଚନ କରିବେ । ତେବେ ସାଧାରଣ ମୁଦ୍ରାଗୁଡିକ ଅପେକ୍ଷା ଏହାର ଢାଞ୍ଚା ଏବଂ ରୂପରେ ପରିବର୍ତ୍ତନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଏକ ସୂଚନା ଜାରି କରାଯାଇଛି । ୧୦୦ ଟଙ୍କାର ମୁଦ୍ରାକୁ ଏକ ଭିନ୍ନ ରୂପରେ ବ୍ୟବହାର କରିପାରିବେ ଦେଶବାସୀ । ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ନୋଟ ଆକାରରେ ବ୍ୟବହାର କରାଯାଉଥିବା ବେଳେ ଏବେ କଏନ୍ ରୂପରେ ଆସୁଛି ୧୦୦ ଟଙ୍କା ।
ତେବେ ସରକାରଙ୍କ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, ଏହି ମୁଦ୍ରାର ଗୋଲେଇ ପ୍ରାୟ ୪୪ ମିଲିମିଟର ରହିବ । ଏହାକୁ ୪ଟି ଧାତୁରେ ପ୍ରସ୍ତୁତ କରାଯାଇଥିବା ବେଳେ ଆକର୍ଷଣୀୟ କରାଯାଇଛି । ତେବେ ଏହି ମୁଦ୍ରାର ଆଗରେ ଅଶୋକ ସ୍ତମ୍ଭ ରହିବ ଏବଂ ଏହାର ଠିକ ତଳେ ଲେଖାଯିବ ‘ସତ୍ୟମେବ ଜୟତେ’ । ୨୦୨୩ ମସିହାରେ ଏହା ପ୍ରସ୍ତୁତ ହେଉଥିବାରୁ ଏହି ମୁଦ୍ରାରେ ଏକ ମାଇକ୍ରୋଫୋନ ତିଆରି କରାଯିବା ସହ ଏଥିରେ ୨୦୨୩କୁ ସ୍ଥାନ ମଧ୍ୟ ଦିଆଯିବ । ଏହାବ୍ୟତୀତ ଗୋଟିଏ ପଟରେ ଭାରତ ଏବଂ ଅନ୍ୟ ପଟେ ଇଣ୍ଡିଆ ଲେଖା ରହିବ ବୋଲି କୁହାଯାଇଛି ।