fbpx

ଭାରତୀୟ ସର୍କସର ପିତାମହ ଚାଲିଗଲେ: ଜେମିନୀ ଶଙ୍କରନ ଆଉ ନାହାନ୍ତି

ନୂଆଦିଲ୍ଲୀ: ଭାରତୀୟ ସର୍କସ ଜଗତର ପିତାମହ ଆଉ ନାହାନ୍ତି । ଜେମିନୀ ସର୍କସର ସଂସ୍ଥାପକ ଜେମିନୀ ଶଙ୍କରନ ଓରଫ ଏମବି ଶଙ୍କରନଙ୍କ ମୃତ୍ୟୁ ଘଟିଛି । କେରଳର କନ୍ନୁର ସ୍ଥିତ ନିଜ ବାସଭବନରେ ଶଙ୍କରନଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା । ବୟସାଧିକ୍ୟ କାରଣରୁ ସେ କିଛିଦିନ ଧରି ରୋଗରେ ପୀଡ଼ିତ ଥିଲେ । ଶଙ୍କରନ ଦେଶର ଜଣେ ସବୁଠାରୁ ପୁରୁଣା ସର୍କସ କଳାକାର ହୋଇଥିବା ବେଳେ ସେ ଇଣ୍ଡିଆ ସର୍କର ଫେଡେରେସନର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ।

ଶଙ୍କରନଙ୍କର ଦେଶର ଅନେକ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସହିତ ସୁସମ୍ପର୍କ ରହିଥିଲା । ସେ ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧି, ମୋରାରଜୀ ଦେସାଈ, ରାଜୀବ ଗାନ୍ଧି, ମାର୍ଟିନ ଲୁଥର କିଙ୍ଗ ଜୁନିଅର, ମାଉଣ୍ଟବେଟନ, କେନେଥ କୌଣ୍ଡା ଓ ମହାକାଶ ଯାତ୍ରୀ ଭାଲେଣ୍ଟିନା ଟେରେଶକୋଭାଙ୍କ ପରି ବିଶ୍ୱସ୍ତରୀୟ ବ୍ୟକ୍ତିବିଶେଷଙ୍କର ଖୁବ୍ ନିକଟତର ହୋଇ ପାରିଥିଲେ ।

ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଶଙ୍କରନଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଭାରତୀୟ ସର୍କସକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଭାରତୀୟ ସର୍କସକୁ ଆଧୁନିକୀକରଣ କରାଇବାରେ କଠିନ ସଂଘର୍ଷ କରିଥିଲେ । ୧୯୨୪ ମସିହା ଜୁନ ମାସ ୧୩ ତାରିଖରେ ଶଙ୍କରନ କେରଳର କୋଲାସେରୀଠାରେ ଜନ୍ମଗ୍ରହଣ କରିଥିଲେ ।

Get real time updates directly on you device, subscribe now.