fbpx

ଓଡ଼ିଶା ଦେଖିଛି ୧୦ ବର୍ଷରେ ୧୦ଟି ବାତ୍ୟା: ୨୦୧୯-ଫନି, ୨୦୨୦-ଅମ୍ଫାନ, ୨୦୨୧-ୟାସ, ୨୦୨୨-ଅସାନୀ, ‘ମେ’ ମାସରେ ବାତ୍ୟା ଆସୁଛି କାହିଁକି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ବିଭିନ୍ନ ଜିଲ୍ଲା ସମୁଦ୍ର ଉପକୂଳରେ ଅବସ୍ଥିତ ଥିବାରୁ ବର୍ଷର ଅଧିକାଂଶ ସମୟରେ ଏଠାରେ ଝଡ଼, ବାତ୍ୟାର ଭୟ ରହିଥାଏ । ତେବେ ବିଗତ ଦିନର ଇତିହାସକୁ ଦେଖିଲେ ଜଣାଯାଏ ଅଧିକାଂଶ ବର୍ଷ ଖରାଦିନେ ବାତ୍ୟା ଲ୍ୟାଣ୍ଡଫଲ କରୁଛି । ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ଦେଇ ଯାଇଥିବା ବଙ୍ଗୋପ ସାଗର ସବୁ ସମୟରେ ରାଜ୍ୟବାସୀଙ୍କୁ ସତେ ଯେମିତି ଡରାଉଛି ।

ତେବେ ପ୍ରବଳ ଗରମ ପରେ ଏବେ ବର୍ଷାର ଆଗମନ ହୋଇଥିବାରୁ ରାଜ୍ୟବାସୀ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି । ଆଉ ଦିନ କେଇଟା ପରେ ମେ ମାସ ଆସି ପହଞ୍ଚିଯିବ । ମେ ମାସର ଆଗମନ ରାଜ୍ୟବାସୀଙ୍କ ମଧ୍ୟରେ ବାତ୍ୟାର ଆଶଙ୍କା ସୃଷ୍ଟି କରିଥାଏ । ଗତ ୨୦୧୯ ମସିହା ମେ ମାସ ୨ରେ ବାତ୍ୟା ‘ଫନି’, ୨୦୨୦ ମସିହା ମେ ମାସ ୨୦ରେ ବାତ୍ୟା ‘ଅମ୍ଫାନ’, ୨୦୨୧ ମସିହା ମେ ମାସ ୨୬ରେ ବାତ୍ୟା ‘ୟାସ’, ୨୦୨୨ ମସିହା ମେ ମାସ ୭ରେ ବାତ୍ୟା ‘ଅସାନୀ’ ଓଡ଼ିଶାରେ ତାଣ୍ଡବ ରଚିଥିଲେ ।

୧୯୯୯ ମହାବାତ୍ୟାର କରାଳ ରୂପ ଓଡ଼ିଶା କାହିଁକି ସମଗ୍ର ବିଶ୍ୱ ଦେଖିଛି । ୨୦୧୩ ଅକ୍ଟୋବର ୧୩ରେ ରେ ବାତ୍ୟା ‘ଫାଇଲିନ’, ୨୦୧୪ ଅକ୍ଟୋବର ୧୨ରେ ବାତ୍ୟା ‘ହୁଦହୁଦ’, ୨୦୧୮ରେ ବାତ୍ୟା ‘ତିତଲି’, ୨୦୧୯ରେ ବାତ୍ୟା ‘ବୁଲବୁଲ’, ୨୦୨୧ ସେପ୍ଟେମ୍ବରରେ ବାତ୍ୟା ‘ଗୁଲାବ’ ଓ ଡିସେମ୍ବରରେ ‘ଜୱାଦ’ ଆସିଥିଲେ । ତେବେ ସାଧାରଣ ଭାବେ ଖରାଦିନେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଗଭୀର ଅବପାତ ଭୟଙ୍କର ବାତ୍ୟାର ରୂପ ଧାରଣ କରିଥାଏ । ଗ୍ଲୋବାଲ ୱାର୍ମିଂ କାରଣରୁ ଏହି ଶଙ୍କିଶାଳୀ ବାତ୍ୟା ଆସୁଥିବା ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି । ବିଶ୍ୱ ତାପନ କାରଣରୁ ସମୁଦର ତାପମାତ୍ରାରେ ବୃଦ୍ଧି ଘଟୁଛି । ଏହାର ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟବାଷ୍କର ମାତ୍ରା ବଢ଼ିଯାଉଛି । ତେଣୁ ମେ ମାସରେ ସମୁଦ୍ରରେ ସୃଷ୍ଟି ହେଉଥିବା ଲଘୁଚାପ ଶକ୍ତି ସଂଗ୍ରହ କରି ବାତ୍ୟାର ରୂପ ନେଉଛି । ଆଗକୁ ମେ ମାସ ଆସୁଥିବାରୁ ବାତ୍ୟା ନେଇ ସମସ୍ତେ ସତର୍କ ରହିବା ଦରକାର । ଓଡ଼ିଶାକୁ ବାତ୍ୟା ନ ଆସୁ, ସମସ୍ତେ ସୁଖରେ ରୁହନ୍ତୁ ଏହା ହିଁ ଆମର କାମନା ।

Get real time updates directly on you device, subscribe now.