fbpx

ମେ’ ମାସରେ ଓଡିଶାକୁ ମାଡି ଆସୁଛି ବାତ୍ୟା! ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର: ପୁଣି ମେ’ ମାସରେ ଓଡିଶା ପାଇଁ ବଢିଛି ବାତ୍ୟାର ଭୟ । ଦକ୍ଷିଣ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଏକ ଲଘୁଚାପ, ଯାହା ଆଗକୁ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଏବେଠୁ ଇସାରା କରୁଛନ୍ତି । ତେବେ ଏହି ବାତ୍ୟା ଆନ୍ଧ୍ର-ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିବାର ଅନୁମାନ କରାଯାଉଛି । ତେବେ ଏହି ବାତ୍ୟା ୨୦୧୯ ମସିହାରେ ହୋଇତିବା ଫନି ବାତ୍ୟାଠାରୁ ବି ଅଧିକ ଭୟଙ୍କର ହୋଇପାରେ ବୋଲି ଆଶଙ୍କା ରହିଛି ।

ପ୍ରଳୟଙ୍କରୀ ବାତ୍ୟା ଫନିକୁ ୪ ବର୍ଷ ପୂରିବାକୁ ଯାଉଥିବା ବେଳେ ପୁଣି ଚଳିତବର୍ଷ ମେ’ ମାସରେ ଆଉ ଏକ ବାତ୍ୟା ହେବାର ଆକଳନ ହୋଇଛି । ଦକ୍ଷିଣ ବଙ୍ଗୋପସାଗରର ଲଘୁଚାପ ଏହି ଆଶଙ୍କାକୁ ବୃଦ୍ଧି କରୁଥିବା ବେଳେ ଆଉ ସପ୍ତାହେ ଭିତରେ ଏହାର ସମ୍ପୂର୍ଣ୍ଣ ସ୍ପଷ୍ଟ ସୂଚନା ମିଳିପାରିବ । ୫ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହା ଘନୀଭୂତ ହୋଇ ଅବପାତର ମଧ୍ୟ ରୂପ ନେଇପାରେ ବୋଲି କୁହାଯାଇଥିଲା । କିନ୍ତୁ କେବେ ଏହି ଲଘୁଚାପ ଘନୀଭୂତ ହେବ କିମ୍ବା ବାତ୍ୟାର ରୂପ ନେବ ସେ ନେଇ ଭାରତୀୟ ପାଣିପାଗ ସଠିକ ସୂଚନା ଦେଇନି । ତେବେ ଆନ୍ଧ୍ର-ଓଡିଶା ଉପକୂଳରେ ଏହି ବାତ୍ୟା ସ୍ଥଳଭାଗ ଛୁଇଁବା ସହ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ସେପଟେ ବାତ୍ୟା ନାଁ ଶୁଣି ଏବେଠୁ ଭୟଭୀତ ହୋଇଗଲେଣି ଓଡିଶାବାସୀ । କାରଣ ୨୦୧୯ ମେ’ ମାସରେ ତାଣ୍ଡବ ରଚିଥିଲା ମହାପ୍ରଳୟଙ୍କରୀ ବାତ୍ୟା ‘ଫନି’ । ଏହି ସମ୍ଭାବ୍ୟ ବାତ୍ୟା ମଧ୍ୟ ସେହି ଭଳି ଏକ ଭୟଙ୍କର ରୂପ ନେବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । କାରଣ ଫନି ବାତ୍ୟା ସହ ବର୍ତ୍ତମାନ ଜଳବାୟୁ ସମ୍ପୂର୍ଣ୍ଣ ମେଳ ଖାଉଛି । ୨୦୧୯ ମେ’ ମ।।ସରେ ପାଣିପାଗ ଯାହା ଥିଲା, ଏବେ ମଧ୍ୟ ଠିକ୍ ସେହିପରି ରହିଥିବା ବେଳେ ଲଘୁଚାପ ବଳୟ ମଧ୍ୟ ସମାନ ସ୍ଥାନରୁ ଉତ୍ପତ୍ତି ହେଉଛି । ରାଜ୍ୟର ଏପରି ପାଣିପାଗ ସମ୍ଭାବ୍ୟ ବାତ୍ୟାକୁ ଆହୁରି ଅକୃଷ୍ଟ କରିବ ବୋଲି ଅନୁମାନ କରାଯାଉଛି ।

ତେବେ ଆସନ୍ତା ୭-୮ ତାରିଖ ଭିତରେ ଲଘୁଚାପ ସୃଷ୍ଟି ହେବା ନେଇ ସିଇସି ସୋଆର ନିର୍ଦ୍ଦେଶକ ଡା, ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଯାହା ଫଳରେ ଆଗାମୀ ୫ ଦିନରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା ଲାଗି ରହିବ । ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା ସମେତ ବରଗଡ, ବଲାଙ୍ଗୀର, କଳାହାଣ୍ଡି, ନୂଆପଡା ଏବଂ ନବରଙ୍ଗପୁର ଜିଲ୍ଲାଗୁଡିକୁ ୨୪ ଘଣ୍ଟା ପାଇଁ ପାଣିବାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

Get real time updates directly on you device, subscribe now.