ଢେଙ୍କାନାଳ, (ଭାସ୍କର ନ୍ୟୁଜ୍) : ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)ରେ ଓଡ଼ିଆ, ଉର୍ଦ୍ଦୁ, ମରାଠୀ ଓ ମାଲାୟଲମ ସାମ୍ବାଦିକତାରେ ସ୍ନାତକୋତର ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୩-୨୪ ଶିକ୍ଷା ବର୍ଷରେ ନାମଲେଖା ପାଇଁ ଇଚ୍ଛୁକ ଶିକ୍ଷାର୍ଥୀମାନେ ମେ ୨୨ ତାରିଖ ପୂର୍ବରୁ ଆବେଦନ କରିପାରିବେ । ଆଇଆଇଏମସିର ୱେବସାଇଟ ଙ୍ଗଙ୍ଗଙ୍ଗ.ସସଜ୍ଞମ.ଶକ୍ଟଙ୍ଖ.ସଦ୍ଭରେ ଆବେଦନପତ୍ର ଉପଲବ୍ଧ ରହିଛି । ଜୁନ ୧୮ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସଂସ୍ଥାନ ପକ୍ଷରୁ ସୂଚନା ଦିଆଯାଇଛି ।
ଆଇଆଇଏମସିର ଆଡମିଶନ ଇନଚାର୍ଜ ପ୍ରଫେସର ରାକେଶ କୁମାର ଗୋସ୍ୱାମୀ କହିଛନ୍ତି, ଆଇଆଇଏମସି ଢେଙ୍କାନାଳରେ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା, ନୂଆଦିଲ୍ଲୀ କ୍ୟାମ୍ପସରେ ଉର୍ଦ୍ଦୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା, କୋଟ୍ଟାୟମ କ୍ୟାମ୍ପସରେ ମାଲାୟଲମ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ଓ ଅମରାବତୀ କ୍ୟାମ୍ପସରେ ମରାଠୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଯାଉଛି । ଏସବୁ ପାଠ୍ୟକ୍ରମରେ ନାମଲେଖା ପାଇଁ ଜୁନ ୧୮ ତାରିଖ ପୂର୍ବାହ୍ଣ ୧୧ଟାରୁ ୨ଟା ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ପ୍ରବେଶିକା ପରୀକ୍ଷାରେ ସାଧାରଣ ଜ୍ଞାନ ସହ ଗଣମାଧ୍ୟମ ଓ ଗଣଯୋଗାଯୋଗ ସମ୍ପର୍କିତ ପ୍ରଶ୍ନ ଆସିବ । ସେହିପରି ଜୁନ ୩୦ରେ ପ୍ରବେଶିକା ପରୀକ୍ଷାର ଫଳାଫଳ ବାହାରିବାର ଅଛି । ତା’ପରେ ନାମଲେଖାର ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ ।
ପ୍ରଫେସର ଗୋସ୍ୱାମୀ ଆହୁରି କହିଛନ୍ତି, ଯେଉଁ ପ୍ରାର୍ଥୀମାନେ ମଞ୍ଜୁରୀପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ସେମାନେ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ । ସେହିପରି ସ୍ନାତକ ଶେଷ ବର୍ଷ ବା ଶେଷ ସେମିଷ୍ଟରର ଶିକ୍ଷାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ । ଯଦି ସେମାନେ ନାମଲେଖା ପାଇଁ ଚୟନ ହୁଅନ୍ତି, ତେବେ ସେମାନଙ୍କୁ ୨୦୨୩ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବିଶ୍ୱବିଦ୍ୟାଳୟ ବା ମହାବିଦ୍ୟାଳୟରୁ ଅରିଜିନାଲ ପ୍ରୋଭିଜିନାଲ ମାର୍କସିଟ୍ ବା ସାର୍ଟିଫିକେଟ ଦେବାକୁ ହେବ । ଆଇଆଇଏମସି କାର୍ଯ୍ୟାଳୟରେ ଯାଞ୍ଚ ପାଇଁ ଅରିଜିନାଲ ଡିଗ୍ରୀ ସାର୍ଟିଫିକେଟ ଯଦି ଦାଖଲ କରନ୍ତି, ତେବେ ସେମାନଙ୍କୁ ଡିପ୍ଲୋମା ଉପାଧି ପ୍ରଦାନ କରାଯିବ ନହେଲେ ସେମାନଙ୍କ ନାମଲେଖାକୁ ଗ୍ରହଣ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
୧୯୯୩ ମସିହାରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନର ପ୍ରଥମ ଶାଖା ଢେଙ୍କାନାଳରେ ଖୋଲିଥିଲା । ସେହିଦିନଠାରୁ ଢେଙ୍କାନାଳ କ୍ୟାମ୍ପସରେ ଇଂରାଜୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଯାଉଛି । ସେହିପରି ୨୦୦୧-୨୦୦୨ ଶିକ୍ଷାବର୍ଷଠାରୁ ପ୍ରଥମ ଆଞ୍ଚଳିକ ଭାଷା ଭାବେ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ଦିଆହୋଇ ଆସୁଛି । ଏହାସହ ବିଭିନ୍ନ ସମୟରେ ସୂଚନା ସେବା ଅଧିକାରୀ ଓ ଲୋକସମ୍ପର୍କ ଅଧିକାରୀଙ୍କ ପାଇଁ ମଧ୍ୟ ତାଲିମ କାଯ୍ୟକ୍ରମ ଆୟୋଜନ କରୁଛି ସଂସ୍ଥାନ । ଦେଶର ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ଆଇଆଇଏମସିର ଏକ ଉଲ୍ଲେଖନୀୟ ଭୂମିକା ରହିଛି । ଏଠାରୁ ଉତୀର୍ଣ୍ଣ ହୋଇଥିବା ଶିକ୍ଷାର୍ଥୀମାନେ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଗଣ ଯୋଗାଯୋଗ, ଗଣମାଧ୍ୟମ, ଲୋକସମ୍ପର୍କ ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନରେ କାର୍ଯ୍ୟ କରୁଛନ୍ତି ।