fbpx

ଚଳିତ ବର୍ଷରୁ ରାଜ୍ୟରେ ଆରମ୍ଭ ହେବ ନୂଆ ପ୍ରୋଗ୍ରାମ ‘DISHA: ଏଚଆଇଭି /ଏଡସ୍ ବିରୋଧରେ ଲଢ଼େଇ ପାଇଁ ରାଜ୍ୟ ସରକାରଙ୍କ ନୂଆ ପ୍ରୟାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ଏଡସ ଓ ଏଚଆଇଭି ଦୁଇଟି ଭୟଙ୍କର ରୋଗ । ଗତ ୨୦୨୧ ମସିହାରେ ଭାରତରେ ଏଡସ ସମ୍ବନ୍ଧୀୟ ମୃତ୍ୟୁ ସଂଖ୍ୟା ପାଖାପାଖି ୪୨ ହଜାର ରହିଥିଲା । ତେବେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କରେ ଏଡସ ମାମଲା ଦିନକୁ ଦିନ ହ୍ରାସ ପାଉଥିବା ରିପୋର୍ଟରୁ ଜଣାପଡ଼ିଛି । ଓଡ଼ିଶା କଥା ବିଚାର କଲେ ଏଠାରେ ସ୍ଥିତି ସ୍ଥିର ରହିଛି । ଗତବର୍ଷ ଅପେକ୍ଷା ରାଜ୍ୟରେ ଯଦିଓ ସଂକ୍ରମଣ ବୃଦ୍ଧି ପାଇନାହିଁ ତଥାପି ଏ କ୍ଷେତ୍ରରେ ସୁଧାର ପରିଲକ୍ଷିତ ହୋଇନାହିଁ ।

ତେଣୁ ଏଡସ ପରି ଏକ ଭୟଙ୍କର ବୀମାରୀକୁ କଣ୍ଟ୍ରୋଲ କରିବା ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳରେ ସଚେତନତା ଜାରି ରହିଛି । ରାଜ୍ୟରେ ପାଖାପାଖି ୬୪୦ଟି କଲେଜରେ ରେଡରିବନ କ୍ଲବ ଓ ୬୪ଟି ଏନଜିଓ ସଂସ୍ଥା କାର୍ଯ୍ୟ କରୁଛନ୍ତି । ଏହାବ୍ୟତୀତ ରାଜ୍ୟରେ ଏଡସ୍ ସଚେତନତା ପାଇଁ ଟୋଲ ଫ୍ରି ନମ୍ବର ୧୦୯୭ କାର୍ଯ୍ୟକାରୀ କରାଯିବା ସହ ୭ଟି ସ୍ଥାନରେ ଓପିଏଡ୍ ସବଷ୍ଟିଚ୍ୟୁସନ ଥେରାପି କେନ୍ଦ୍ର କାର୍ଯ୍ୟ କରୁଛି ।

ତେବେ ଚଳିତ ବର୍ଷ ରାଜ୍ୟ ସରକାର ନୂଆ କାର୍ଯ୍ୟକ୍ରମ ଡିଷ୍ଟ୍ରିକ୍ଟ ଇଣ୍ଟିଗ୍ରେଟେଡ ଷ୍ଟାଟେଜି ଫର୍ ଏଚଆଇଭି ଏଡ୍ସ (ଦିଶା) ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗୋଷ୍ଠୀ ସଚେତନତା କରାଯିବା ସହିତ ବିଭିନ୍ନ ବିଭାଗର ସମନ୍ୱୟରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ଏବେ ରାଜ୍ୟର ୧୯ଟି ଆଣ୍ଟି ରେଟ୍ରୋଭିରାଲ ଥେରାପି (ଏଆରଟି) କେନ୍ଦ୍ର କର୍ଯ୍ୟ କରୁଥିବା ବେଳେ ୨୪ଟି ଜିଲ୍ଲାର ୮ଟି କ୍ଲଷ୍ଟରରେ ଏହି କାର୍ଯ୍ୟକ୍ରମ କରାଯିବ । ଆଗକୁ ବିଭିନ୍ନ କଲେଜରେ ରେଡରିବନ କ୍ଲବ ସଂଖ୍ୟା ବଢ଼ାଇବାକୁ ନେଇ ନିଷ୍ପତ୍ତି ହୋଇଛି ।

ଗତ ୨୦୨୨-୨୦୨୩ ବର୍ଷର ୧୬ ମାସ ମଧ୍ୟରେ ରାଜ୍ୟରେ ୨୦ ଲକ୍ଷରୁ ଅଧିକ ନମୂନା ପରୀକ୍ଷଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୩୨୮୪ ଏଡସ୍ ସଂକ୍ରମିତ ରହିଥିଲେ । ସେହିପରି ଏହି ଅବଧି ମଧ୍ୟରେ ୫୪,୯୯୪ ଜଣ ଗର୍ଭବତୀ ଏଡସରେ ସଂକ୍ରମିତ ହୋଇଥିଲେ । ରାଜ୍ୟରେ ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ସଂକ୍ରମିତ ହେଉଥିବା ଜଣାପଡ଼ିଛି । ୨୫ରୁ ୪୯ ବର୍ଷର ଲୋକମାନେ ୭୭ ପ୍ରତିଶତ ଚିହ୍ନଟ ହେଉଥିବା ଜଣାପଡ଼ିଛି । ସେହିପରି ୧୫-୨୪ ବର୍ଷୀୟଙ୍କ ମଧ୍ୟରେ ୧୦ ପ୍ରତିଶତ, ୧୪ରୁ ଅଧିକ ବର୍ଷୀୟଙ୍କ ମଧ୍ୟରେ ୬ ପ୍ରତିଶତ, ୫୦ରୁ ଅଧିକ ବର୍ଷୀୟଙ୍କ ମଧ୍ୟରେ ୭ ପ୍ରତିଶତ ସଂକ୍ରମିତ ରହିଛନ୍ତି । ରାଜ୍ୟରେ ବ୍ୟାପକ ସଚେତନତା କରାଯାଉଥିଲେ ହେଁ ୬ଟି ଜିଲ୍ଲାକୁ ଏଡସ୍ ଆଶଙ୍କା ପ୍ରବଣ ଭାବେ ଚିହ୍ନଟ କରାଯାଇଛି । ଓଡ଼ିଶା ରାଜ୍ୟ ଏଡସ୍ କଣ୍ଟ୍ରୋଲ ପରିଷଦ (ଓସାକ୍ସ) ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି ।

Get real time updates directly on you device, subscribe now.