ଅଜବ କାହାଣୀ! ପିଲା ଜନ୍ମ ପାଇଁ ଦମ୍ପତ୍ତିଙ୍କୁ ମିଳୁଛି ପୁରସ୍କାର: ଉପହାରରେ ଗାଡି, ଘର ସହ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ଏଥିରେ ସତ୍ୟତା ରହିଛି । ଏବେ ପିଲାଟିଏ ଜନ୍ମ କରିବା ପାଇଁ ମଧ୍ୟ ଦମ୍ପତ୍ତିଙ୍କୁ ପୁରସ୍କାର ପ୍ରଦାନ କରାଯାଉଛି । ସରକାରଙ୍କର ଏହି ପଦକ୍ଷେପ ପ୍ରାୟତଃ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିବ । କେଉଁଠି ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳୁଛି ତ ଆଉ କେଉଁଠି ଗାଡି ଏବଂ ବାସଗୃହ ପ୍ରଦାନ କରୁଛନ୍ତି ସରକାର । ସନ୍ତାନ ଲାଭ କରି ପିତା-ମାତା ହେବାର ସୁଯୋଗ ପାଇବା ସହ ପୁରସ୍କାର ପାଇପାରିବେ ଦମ୍ପତ୍ତି । ତେବେ ବିଭିନ୍ନ ଦେଶରେ ଏହି ନିୟମ ଲାଗୁ ହୋଇଛି ।

ଜନସଂଖ୍ୟା ବୃଦ୍ଧି ଦେଶର ବିକାଶ ଦିଗରେ ଏକ ପ୍ରତିବନ୍ଧକ ସଦୃଶ ହେଉଥିବାରୁ ଅନେକ ଦେଶରେ ,ହାକୁ ନିରୁତ୍ସାହିତ କରାଯାଉଛି । ଭାରତରେ ‘ଛୋଟ ପରିବାର, ସୁଖୀ ପରିବାର’ଭ ଳି ସ୍ଲୋଗାନ ଦେଇ ପରିବାର ସୀମିତ ରଖିବା ପାଇଁ ସରକାର ପ୍ରୋତ୍ସାହିତ କରୁଛନ୍ତି । କିନ୍ତୁ ଅନ୍ୟ ଦେଶମାନଙ୍କରେ ଦମ୍ପତ୍ତି ଏକ ସନ୍ତାନ କିମ୍ବା ସନ୍ତାନହୀନ ରହୁଥିବା ବେଳେ ଏହା ଦେଶର ପ୍ରଗତି ଏବଂ ଅଭିବୃଦ୍ଧିରେ ହ୍ରାସ ଘଟାଉଛି । ତେଣୁ ଏସବୁ ସମସ୍ୟାକୁ ଦୂର କରିବା ଏବଂ ଜନସଂଖ୍ୟା ବୃଦ୍ଧି କରିବା ପାଇଁ ଜାପାନ ଏବଂ ଋଷିଆ ଏବଂ ବେଲାରୁଷ ଆଦି ଦେଶରେ ଦମ୍ପତ୍ତିଙ୍କୁ ସନ୍ତାନ ଜନ୍ମ ପାଇଁ ପୁରସ୍କୃତ କରାଯାଉଛି ।

ଜାପାନରେ ପ୍ରତି ସନ୍ତାନ ଜନ୍ମ ପାଇଁ ଦମ୍ପତ୍ତିଙ୍କୁ ୬ ଲକ୍ଷ ଟଙ୍କା ପୁରସ୍କାର ରାଶି ଭାବରେ ପ୍ରଦାନ କରାଯାଉଛି । ସେହିପରି ଋଷିଆ ଜାପାନଠୁ ଗୋଟିଏ ପାଦ ଆଗକୁ ଯାଇ ପ୍ରତ୍ୟେକ ପିଲା ପାଇଁ ଅଲଗା ପୁରସ୍କାର ରାଶି ଘୋଷଣା କରିଛି । ପ୍ରଥମ ସନ୍ତାନ ପାଇଁ ନିଜସ୍ୱ ଗାଡି ଏବଂ ବାସଗୃହ ଯୋଗାଇ ଦେଉଥିବା ବେଳେ ଦ୍ୱିତୀୟ ଏବଂ ତୃତୀୟ ପିଲାଙ୍କ ପାଇଁ ୭ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେଉଛନ୍ତି ସରକାର । ତେବେ ୟୁରୋପର ରୋମାନିଆରେ ଦମ୍ପତ୍ତିଙ୍କୁ ସନ୍ତାନ ଜନ୍ମ ପାଇଁ ସମ୍ପୂର୍ଣ୍ଣ କର ଛାଡ କରିଛନ୍ତି ସରକାର । ତେବେ ନିସନ୍ତାନ ଦମ୍ପତ୍ତିଙ୍କ ପାଇଁ ୨୦ ପ୍ରତିଶତ ଅଧିକ କର ଆଦାୟ କରାଯାଉଛି । ବେଲାରୁଷରେ ସନ୍ତାନ ଜନ୍ମପାଇଁ ୧.୨୮ ଲକ୍ଷ ଟଙ୍କାର ନଗଦ ରାଶି ମିଳିବା ସହ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ପିଲାର ପାଳନ ପୋଷଣ ପାଇଁ ମାସିକ ୧୮ ହଜାର ଟଙ୍କା ଦେଉଛନ୍ତି ସରକାର ।