fbpx

କରମଣ୍ଡଳ ଦୁର୍ଘଟଣା: ବଞ୍ଚିଛି ନା ମରିଛି ଜାଣି ନଥିଲେ, ଏମ୍ସରେ ପୁଅକୁ ଦେଖି କାନ୍ଦି ପକାଇଲେ ବାପା

ଭୁବନେଶ୍ୱର: ବାଲେଶ୍ୱର କରମଣ୍ଡଳ ଦୁର୍ଘଟଣା ଅନେକ ଲୋକଙ୍କୁ ନିଜ ପରିବାରଠାରୁ ଦୂରେଇ ଦେଇଛି । ଆଜି ଦୁର୍ଘଟଣାକୁ ୯ ଦିନ ବିତି ଯାଇଥିଲେ ବି କିଛି ଲୋକ ଘରକୁ ଫେରି ପାରି ନାହାନ୍ତି । ଏହାମଧ୍ୟରେ ଅନେକ ମୃତ ବ୍ୟକ୍ତି ଥିବା ବେଳେ କିଛି ଆହତ ମଧ୍ୟ ପରିବାର ଅପେକ୍ଷାରେ ରହିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆସାମର ଯୁବକ ଦୁଲାଲ ମଜୁମଦାର । ଦୁର୍ଘଟଣା ଦିନରୁ ତାଙ୍କୁ ଖୋଜୁଥିବା ବେଳେ ଆଜି ପୁଅକୁ ପାଇଛନ୍ତି ଦୁଲାଲଙ୍କ ବାପା । ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଦୁଲାଲଙ୍କୁ ଚିକିତ୍ସିତ ଅବସ୍ଥାରେ ଦେଖି ଲୁହକୁ ସମ୍ଭାଳି ପାରିନାହାନ୍ତି ବାପା ସୁବାସ ମଜୁମଦାର ।

ଦୁର୍ଘଟଣାରେ ଆହତ ହୋଇଥିବା ଦୁଲାଲଙ୍କୁ ପ୍ରଥମେ ବାଲେଶ୍ୱରର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ଭୁବନେଶ୍ୱର ଏମ୍ସ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି । ତେବେ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ପାଇବା ପରେ ଆସାମରୁ ଏମ୍ସ ଧାଇଁ ଆସିଛନ୍ତି ଦୁଲାଲଙ୍କ ବାପା । ଦୁର୍ଘଟଣା ପରଠାରୁ ସେ ପୁଅକୁ ଖୋଜୁଥିବା ବେଳେ ଦୁଲାଲ ଜୀବିତ କି ନାହିଁ, ତାହା ମଧ୍ୟ ଜଣା ନଥିଲା । ତେବେ ଏମ୍ସରୁ ଫୋନ୍ ପାଇବା ପରେ ଆଜି ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦୁଲାଲଙ୍କ ବାପା ସୁବାସ ମଜୁମଦାର । ଏଠାରେ ଚିକିତ୍ସିତ ଅବସ୍ଥାରେ ପୁଅକୁ ଦେଖି ସୁବାସଙ୍କ ଆଖିରୁ ଲୁହ ଝରି ଯାଇଛି । ଆଶା ହରାଇ ସାରିଥିବା ବାପା ପୁଣିଥରେ ପୁଅ ମୁହଁରୁ କଥା ଶୁଣି କାନ୍ଦି ପକାଇଥିବାର ଦେଖାଯାଇଛି ।

ସୂଚନା ଅନୁସାରେ, ବାଲେଶ୍ୱର ମେଡିକାଲରେ ଅସୁସ୍ଥତା ଥିବାରୁ ଗତ ୫ ତାରିଖ ଦିନ ଦୁଲାଲଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି । ପୁଅର ଚିକିତ୍ସା ପାଇଁ ମେଡିକାଲ ଟିମ ଏବଂ ଗଣମାଧ୍ୟମକୁ ଧନ୍ୟବାଦ ଦେଇଛନ୍ତି ଦୁଲାଲଙ୍କ ବାପା ସୁବାସ ମଜୁମଦାର ।

Get real time updates directly on you device, subscribe now.