fbpx

(Video) ଅବିଶ୍ୱସନୀୟ କ୍ୟାଚ୍: ଟି-୨୦ ଲିଗରେ ‘ସୁପରମ୍ୟାନ’ ପାଲଟିଗଲେ Bradley Currie, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ଏମିତି ଅନେକ କ୍ୟାଚ ଦେଖିବାକୁ ମିଳିଥାଏ, ଯାହାକୁ ଭୁଲିବା ସହଜ ନୁହେଁ । କିନ୍ତୁ ଟି-୨୦ ବ୍ଲାଷ୍ଟ ଟୁର୍ଣ୍ଣାମେଣ୍ଟର ସସେକ୍ସ ଏବଂ ହେମ୍ପସାୟର ମଧ୍ୟରେ ହୋଇଥିବା ଏକ ମ୍ୟାଚରେ ଦେଖିବାକୁ ମିଳିଛି ଚମତ୍କାର । ଏହି ମ୍ୟାଚରେ ବ୍ରାଡ କରୀ ଏମିତି ଏକ କ୍ୟାଚ ନେଇଛନ୍ତି, ଯାହାକୁ ଦେଖିବା ପରେ ମଧ୍ୟ ବିଶ୍ୱାସ କରିବା ସମ୍ଭବ ହୋଇ ପାରୁନାହିଁ । ପବନରେ ସୁପରମ୍ୟାନ ଷ୍ଟାଇଲରେ ଡାଇଭ ମାରି କ୍ୟାଚ ନେଇଛନ୍ତି କରୀ । ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଟି-୨୦ ବ୍ଲାଷ୍ଟ ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇଥିଲେ ସସେକ୍ସ ଏବଂ ହେମ୍ପସାୟର । ଏହି ମ୍ୟାଚର ସସେକ୍ସ ତରଫରୁ ୧୯ତମ ଓଭର ନେଇ ଆସିଥିଲେ ଟାଇମଲ ମିଲ୍ସ । ତେବେ ମିଲ୍ସଙ୍କ ବଲକୁ ବେନୀ ହୱେଲ ଏକ ମିଡ ୱିକେଟରେ ଦମଦାର ଶଟ୍ ଖେଳିଥିଲେ । କିନ୍ତୁ ବାଉଣ୍ଡ୍ରି ବାହାରକୁ ଯିବା ପୂର୍ବରୁ ମଝିରେ ଆସିଥିଲେ ଷ୍ଟାର ଫିଲ୍ଡର ବ୍ରାଡ କରୀ । ସ୍କ୍ୱାୟାର ଲେଗରେ ଫିଲ୍ଡିଙ୍ଗ କରୁଥିବା ବ୍ରାଡ କରୀ ବଲ ପାଖରେ ପହଞ୍ଚିବାରେ ଟିକିଏ ଦୂରରେ ରହି ଯାଇଥିଲେ । କିନ୍ତୁ କ୍ୟାଚ ଧରିବା ପାଇଁ ସେ ସୁପର ମ୍ୟାନ ଷ୍ଟାଇଲରେ ଡାଇଭ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ବାଉଣ୍ଡ୍ରି ପାଖରେ ଡାଇଭ ମାରି ସେ ଗୋଟିଏ ହାତରେ ଏହି କ୍ୟାଚକୁ ଧରି ନେବାରେ ସଫଳ ହୋଇଛନ୍ତି । ତେବେ ଏହି କ୍ୟାଚ ଧରିବା ସେତେଟା ସହଜ ନଥିଲା । କାରଣ ବଲଟି ଦ୍ରୁତ ଗତିରେ ବାଉଣ୍ଡ୍ରି ଆଡକୁ ଯାଉଥିବା ବେଳେ ବ୍ରାଡଙ୍କ ନିକଟରୁ ଏହା ଖୁବ ଦୂରରେ ରହିଥିଲା । ତେଣୁ ଏହା ଏକ ଅସମ୍ଭବ କ୍ୟାଚ ବୋଲି କୁହାଯାଉଛି ।

ବ୍ରାଡ କରୀ ଏମିତି କ୍ୟାଚ ଧରିବା ପରେ ପଡିଆରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏପରିକି ବ୍ୟାଟ୍ସମ୍ୟାନ ନିଜେ ମଧ୍ୟ କିଛି କ୍ଷଣ ପାଇଁ ଆଖିକୁ ବିଶ୍ୱାସ କରି ପାରି ନାହାନ୍ତି, ଯେ ଆଉଟ ହୋଇ ସାରିଛନ୍ତି । ତେବେ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଏହି ଅସମ୍ଭବ କ୍ୟାଚର ଏକ ଭିଡିଓ ଖୁବ ଭାଇରାଲ ହେଉଛି । କିଛି ଲୋକ ବ୍ରାଡ କରୀଙ୍କୁ ଏହି କ୍ୟାଚ ପାଇଁ ସ୍ପେଶାଲ ଆୱାର୍ଡ ଦେବା ପାଇଁ କହୁଛନ୍ତି ତ କେହି ଏହାକୁ ସର୍ବଶ୍ରେଷ୍ଠ କ୍ୟାଚ ବୋଲି ଘୋଷଣା କରିବାକୁ ଦାବି କରୁଛନ୍ତି । ଅନେକ ଲୋକ ଏହି କ୍ୟାଚକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବାର ଦେକିବାକୁ ମିଳିଛି ।

Get real time updates directly on you device, subscribe now.