fbpx

ମଧ୍ୟପ୍ରଦେଶରେ କଂଗ୍ରେସ ପ୍ରୟୋଗ କରିବ ‘U + 5G’ ଫର୍ମୂଲା: ‘କର୍ଣ୍ଣାଟକ ଅସ୍ତ୍ର’କୁ ନେଇ ଚିନ୍ତାରେ ବିଜେପି

ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଶାସକ ବିଜେପିକୁ ଦେଇଥିଲା ଏକ ଜବରଦସ୍ତ ଝଟକା । ମୋଟ ୨୨୪ଟି ଆସନ ମଧ୍ୟରୁ କଂଗ୍ରେସ ୧୩୫ଟି ଆସନ ଜିତି ବହୁମତ ହାସଲ କରିଥିବା ବେଳେ ବିଜେପି ମାତ୍ର ୬୬ଟି ଆସନରେ ଅଟକି ଯାଇଥିଲା । ତେବେ ଚଳିତ ବର୍ଷ ଶେଷକୁ ହେବାକୁ ଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ବାଟ ଓଗାଳିବାକୁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ ।

ଗତ ୨୦୧୮ରେ ମଧ୍ୟପ୍ରଦେଶର ୨୩୦ଟି ଆସନ ମଧ୍ୟରୁ କଂଗ୍ରେସ ୧୧୪ଟି ସିଟ୍ ପାଇ ସରକାର ଗଠନ କରିଥିବା ବେଳେ ବିଜେପି ୧୦୯ଟି ପାଇ ପଛରେ ପଡ଼ିଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ପଦ ନ ମିଳିବାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଏଥିସହିତ ସିନ୍ଧିଆ ତାଙ୍କର କିଛି ଅନୁଗତ ବିଧାୟକଙ୍କୁ ମଧ୍ୟ ନେଇ କରି ଚାଲିଯାଇଥିଲେ । ଫଳରେ କଂଗ୍ରେସର ଦୁର୍ଗ ଭୁଶୁଡ଼ି ପଡ଼ିଥିଲା । ପୁଣି ଥରେ ବିଜେପି ରାଜ୍ୟରେ ଅପରେସନ ଲୋଟସ୍ ପ୍ରୟୋଗ କରି ସରକାର ଗଠନ କରିପାରିଥିଲା ।

ତେବେ ହିମାଚଳ ପ୍ରଦେଶ ପରେ ନିକଟରେ କର୍ଣ୍ଣାଟକରେ ସରକାର ଗଠନ କରିବା ପରେ କଂଗ୍ରେସର ମନୋବଳ ବେଶ୍ ବୃଦ୍ଧି ପାଇଛି । ତେଣୁ ଦଳ ଏଥର ‘ୟୁ ପ୍ଲସ ୫ଜି’ ଫର୍ମୂଲା ଆପଣାଇବାକୁ ଯାଉଛି । ୟୁ’ର ଅର୍ଥ ହେଉଛି ୟୁନିଟ୍, ଅର୍ଥାତ ସମସ୍ତଙ୍କୁ ଏକଜୁଟ କରାଯିବ । ଏଥିସହିତ ୫ଜିର ଅର୍ଥ ହେଉଛି ୫ଟି ଗ୍ୟାରେଣ୍ଟି । ଏହି ଦୁଇଟି ରଣନୀତିକୁ ଆଧାର କରି ଦଳ ଆଗକୁ ବଢ଼ୁଛି । ଅତୀତର ଭୁଲରୁ ଶିକ୍ଷା ଲାଭ କରି କଂଗ୍ରେସ ପୁରି ଥରେ ବିଜେପିକୁ ଚକମା ଦେବା ଚକ୍କରରେ ରହିଛି । ଅନ୍ୟପକ୍ଷରେ ବିଜେପି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବାରମ୍ବାର ଝଟକା ଖାଇ ଜନାଦେଶକୁ ଖରାପ କରିବାକୁ କଦାପି ଚାହିଁବ ନାହିଁ । ତେଣୁ ଏଥର ମଧ୍ୟପ୍ରଦେଶରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିବ ।

Get real time updates directly on you device, subscribe now.