fbpx

ଓଡ଼ିଶାର ଗର୍ବ ଓଡ଼ିଆ ଝିଅଙ୍କୁ ଜନ୍ମ ଦିନର ଅଭିନନ୍ଦନ: ଦୁଇ ପୁତ୍ର, ସ୍ୱାମୀଙ୍କୁ ହରାଇଥିଲେ ବି ଭାଙ୍ଗି ପଡ଼ିନଥିଲେ, ସାଧାରଣ କିରାଣୀରୁ ଦେଶର ରାଷ୍ଟ୍ରପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ସାରା ବିଶ୍ୱବାସୀଙ୍କ ପାଇଁ ଏକ ବଡ଼ ଦିନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ପାଇଁ ଆଜି କେବଳ ଶ୍ରୀକ୍ଷେତ୍ର ଧାମ ନୁହେଁ, ସାରା ବିଶ୍ୱ ଚଳଚଞ୍ଚଳ ହୋଇ ଉଠିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଆଜି ଭଳି ଏକ ପବିତ୍ର ଦିନରେ ଜନ୍ମ ନେଇଥିଲେ ଓଡ଼ିଆ ଝିଅ, ଓଡ଼ିଶାର ଗର୍ବ, ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତିଙ୍କ ସମେତ ସାରା ଦେଶବାସୀଙ୍କ ତରଫରୁ ଦ୍ରୌପଦୀଙ୍କ ନିକଟକୁ ଛୁଟିଛି ଅଭିନନ୍ଦନର ସୁଅ ।

୬୫ତମ ଜନ୍ମଦିବସ ଅବସରରେ ସାରା ଓଡ଼ିଶାବାସୀଙ୍କ ତରଫରୁ ଓଡ଼ିଆ ଝିଅ, ଓଡ଼ିଶାର ପ୍ରାଣ, ସମସ୍ତଙ୍କ ପ୍ରିୟ, ଶାନ୍ତ, ସରଳ, ନିଷ୍ପାପ, ନିରାଡ଼ମ୍ବର ଦ୍ରୌପଦୀଙ୍କୁ ଅଜସ୍ର ଅଭିନନ୍ଦନ । ଶ୍ରୀଜଗନ୍ନାଥଙ୍କ ଆଶିଷ ସର୍ବଦା ତୁମ ଉପରେ ରହିଥାଉ, ଈଶ୍ୱର ତୁମକୁ କୋଟି ପରମାୟୁ ଦିଅନ୍ତୁ, ତୁମେ ଜୀବନରେ ଆହୁରି ଆଗକୁ ଯାଇ ଓଡ଼ିଶାବାସୀଙ୍କ ସେବା କର ଏହା ହିଁ ଆମର ମହାପ୍ରଭୁଙ୍କ ପାଦପଦ୍ମରେ ପ୍ରାର୍ଥନା ।

୧୯୫୮ ମସିହା ଜୁନ ମାସ ୨୦ ତାରିଖରେ ଦ୍ରୌପଦୀ ରାଇରଙ୍ଗପୁରର ଏକ ସାନ୍ତାଳି ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଓ ଦାଦା ଦୁହେଁ ଗ୍ରାମ ପ୍ରଧାନ ଥିଲେ । ଦ୍ରୌପଦୀଙ୍କ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁ ଜଣେ ବ୍ୟାଙ୍କ ଅଧିକାରୀ ଥିଲେ । ୨୦୧୪ରେ ଶ୍ୟାମ ଚରଣଙ୍କର ପରଲୋକ ଘଟିଥିଲା । ଏହା ପରେ ତାଙ୍କର ଦୁଇ ପୁତ୍ରଙ୍କର ମୃତ୍ୟୁ ଘଟିଥିଲା । ୩ ଜଣ ରକ୍ତର ସମ୍ପର୍କକୁ ହରାଇଥିଲେ ବି ଦ୍ରୌପଦୀ ଆଦୌ ଭାଙ୍ଗି ପଡ଼ିନଥିଲେ । ନିଜର ଏକମାତ୍ର କନ୍ୟାଙ୍କୁ ସୁଶିକ୍ଷା ପ୍ରଦାନ କରି ତାଙ୍କୁ ଏକ ବ୍ୟାଙ୍କ ଅଫିସର କରାଇଥିଲେ ମା’ ଦ୍ରୌପଦୀ ।

ଉପରବେଡ଼ାର ଏକ ପ୍ରାଥମିକ ସ୍କୁଲରେ ଦ୍ରୌପଦୀ ନିଜର ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିଥିଲେ । ଏହାପରେ ସେ ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ୱର ଆସିଥିଲେ । ସେଠାରେ ସେ ଏକ ବାଳିକା ସ୍କୁଲରେ ମାଧ୍ୟମିକ ଶିକ୍ଷା ସମାପ୍ତ କରି ପରେ ରମାଦେବୀ ମହିଳା କଲେଜରୁ ଗ୍ରାଜୁଏସନ କରିଥିଲେ । ରାଜନୀତିକୁ ଆସିବା ପୂର୍ବରୁ ସେ ୧୯୭୯ରୁ ୧୯୮୩ ପର୍ଯ୍ୟନ୍ତ ରାଜ୍ୟ ସିଞ୍ଚନ ଓ ବିଜୁଳି ବିଭାଗରେ ଜଣେ କିରାଣୀ ଭାବେ କାର୍ଯ୍ୟ କରିଥିଲେ । । ୧୯୯୪ରୁ ୧୯୯୭ ପର୍ଯ୍ୟନ୍ତ ସେ ଅରବିନ୍ଦ ଇଣ୍ଟିଗ୍ରାଲ ଶିକ୍ଷା କେନ୍ଦ୍ର, ରାଇରଙ୍ଗପୁରରେ ଜଣେ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ ।

ଏହାପରେ ସେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ସେ ରାଇରଙ୍ଗପୁର ବିଧାନସଭା ଆସନରୁ ଓଡ଼ିଶା ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ସେ ଝାଡ଼ଖଣ୍ଡର ୮ମ ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ । ୨୦୨୨ ଜୁଲାଇ ମାସରେ ସେ ଦେଶର ସର୍ବୋଚ୍ଚ ପଦ ରାଷ୍ଟ୍ରପତି ଦାୟିତ୍ୱ ସମ୍ଭାଳିଥିଲେ ।

ମୟୂରଭଞ୍ଜର ଏକ ଅଖ୍ୟାତ ପଲ୍ଲୀରୁ ଜୀବନଯାତ୍ରା ଆରମ୍ଭ କରି ଦିଲ୍ଲୀ ସିଂହାସନରେ ବସିବା ପର୍ଯ୍ୟନ୍ତ ଏତେବଡ଼ ସଂଘର୍ଷ ଏକ ସାଧାରଣ କଥା ନୁହେଁ । ଏହାରି ମଧ୍ୟରେ ଓଡ଼ିଆ ଝିଅ ଦ୍ରୌପଦୀଙ୍କ ଜୀବନରେ ଆସିଥିଲା ଅନେକ ଝଡ଼ଝଞ୍ଜା । ତଥାପି ଥକ୍କି ପଡ଼ିନଥିଲେ ଦ୍ରୌପଦୀ । ଅସୀମ ଧୈର୍ଯ୍ୟ, କଠିନ ପରିଶ୍ରମ, ନିରନ୍ତର ପ୍ରୟାସ କରୁଥିବା ବ୍ୟକ୍ତିର କେବେ ବି ପରାଜୟ ନଥାଏ ଏହା ଦ୍ରୌପଦୀ ପ୍ରମାଣ କରିଦେଇଛନ୍ତି । ଆଖିର ଲୁହ, ମନର ବେଦନାକୁ ଶକ୍ତି ଭାବେ ପାଥେୟ କରି କିପରି ଜୀବନ ଯୁଦ୍ଧରେ ଜିତିବାକୁ ହୁଏ ତାହା ଆଜି ସାରା ଦେଶବାସୀଙ୍କୁ ଶିଖାଇ ଦେଇଛନ୍ତି ଦ୍ରୌଦଦୀ ।

Get real time updates directly on you device, subscribe now.