ଭାରତରେ ଜଣେ ବ୍ୟକ୍ତି କେତୋଟି ଜମିର ମାଲିକ ହୋଇ ପାରିବେ: ଏହାର ନିଷ୍ପତ୍ତି କେନ୍ଦ୍ର ନା ରାଜ୍ୟ ସରକାର ନେଇଥାନ୍ତି, ଏନେଇ କ’ଣ ନିୟମ ରହିଛି

ନୂଆଦିଲ୍ଲୀ: ଆଜିର ସମୟରେ ଗୋଟିଏ ଜମିର ଗୁରୁତ୍ୱ କେତେ ତାହା ବୋଧହୁଏ କାହାକୁ କହିବାର ଆବଶ୍ୟକତା ନାହିଁ । ଆପଣଙ୍କ ପାଖରେ ଯଦି ଗୋଟିଏ ମୂଲ୍ୟବାନ ଜାଗା ବା ଭୂମି ରହିଛି, ତେବେ ତାହା ଆପଣଙ୍କର ଭାଗ୍ୟ ବଦଳାଇ ଦେଇପାରେ । ତେବେ ଆପଣମାନେ ନିଜ ନାମରେ ସର୍ବାଧିକ କୋତୋଟି ଜମି କିଣିପାରିବେ? ଏନେଇ ଭାରତରେ କିଛି ନିୟମ ରହିଛି କି? ଏ ବାବଦରେ ଆପଣମାନେ ଜାଣିବା ନିହାତି ଜରୁରୀ ।

ଭାରତରେ ଜମି କିଣିବା ପାଇଁ ସର୍ବାଧିକ ସୀମା ଅଲଗା ଅଲଗା ରାଜ୍ୟ ଉପରେ ନିର୍ଭର କରିଥାଏ । ଜଣେ ବ୍ୟକ୍ତି କେତୋଟି କୃଷି ଯୋଗ୍ୟ ଜମି କିଣିପାରିବେ ତା’ର ନିଷ୍ପତ୍ତି ରାଜ୍ୟ ସରକାର ନେଇଥାନ୍ତି । ଦେଶରେ ଜମି ଏକ ମୂଲ୍ୟବାନ ଜିନିଷ ହୋଇଥିବା ବେଳେ ଏଥିରେ ନିବେଶ କଲେ ଜଣେ ଆର୍ଥିକ ଭାବେ ସ୍ୱଚ୍ଛଳ ହୋଇପାରିଥାଏ । ଗାଁ ହେଉ କି ସହର ସୁନା ପରେ ଜମିକୁ ହିଁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଥାଏ ।

କୃଷି ଯୋଗ୍ୟ ଜମି କିଣିବା ପାଇଁ ବିଭିନ୍ନ ରାଜ୍ୟରେ କିଛି ନିୟମ ରହିଥିବା ବେଳେ ଅଣକୃଷି ଯୋଗ୍ୟ ଭୂମି କ୍ଷେତ୍ରରେ ଏହା ଦେଖିବାକୁ ମିଳିନଥାଏ । ଦେଶରେ ଜମିଦାରୀ ପ୍ରଥାକୁ ସମାପ୍ତ କରାଯିବା ପରେ ରାଷ୍ଟ୍ରୀୟ ଓ ରାଜ୍ୟ ସ୍ତରରେ କିଛି ପରିବର୍ତ୍ତନ କରାଯାଇଛି । ଜଣେ ବ୍ୟକ୍ତି କେତେ କୃଷି ଯୋଗ୍ୟ ଜମି କିଣି କିଣିପାରିବେ ତାହା ରାଜ୍ୟ ସରକାର ସ୍ଥିର କରିଥାନ୍ତି ।

କେରଳରେ ଭୂମି ସଂଶୋଧନ ଅଧିନିୟମ ୧୯୬୩ ଅନୁସାରେ ଜଣେ ଅବିବାହିତ ବିବାହିତ ବ୍ୟକ୍ତି କେବଳ ୭.୫ ଏକର ଜମି କିଣିପାରିବେ । ୫ ସଦସ୍ୟ ବିଶିଷ୍ଟ ପରିବାର ୧୫ ଏକର ପର୍ଯ୍ୟନ୍ତ ଜମି କିଣିପାରିବେ । ସେହିପରି ଗୁଜରାଟ ଓ ମହାରାଷ୍ଟ୍ରରେ ଯେଉଁମାନେ ପୂର୍ବରୁ କୃଷି କାର୍ଯ୍ୟ କରୁଥିବେ କେବଳ ସେମାନେ କୃଷି ଯୋଗ୍ୟ ଜମି କିଣିପାରିବେ । ସେଠାରେ ସର୍ବାଧିକ ସୀମା ୫୪ ଏକର ରହିିଥିବା ବେଳେ ପଶ୍ଚିମବଙ୍ଗରେ ତାହା ୨୪.୫ ଏକର ରହିଛି । ତେବେ ଜଣେ ବ୍ୟକ୍ତି ହିମାଚଳ ପ୍ରଦେଶରେ ୩୨ ଏକର, କର୍ଣ୍ଣାଟକରେ ୫୪ ଏକର, ଉତ୍ତରପ୍ରଦେଶରେ ୧୨.୫ ଏକର ଓ ବିହାରରେ ୧୫ ଏକର କୃଷି ଯୋଗ୍ୟ ଜମି କିଣିପାରିବେ ।