fbpx

ସାରା ଦେଶରେ ସୃଷ୍ଟି ହେବ ୫୦ ହଜାର ଚାକିରି: ଭାରତରେ ୧୦ ହଜାର କୋଟି ନିବେଶ କରିବ ଲୁଲୁ ଗ୍ରୁପ

ନୂଆଦିଲ୍ଲୀ: ଦେଶର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖବର । ଆଗାମୀ ଦିନରେ ସାରା ଦେଶରେ ଚାକିରିର ବର୍ଷା ହେବାକୁ ଯାଉଛି । ସମଗ୍ର ଭାରତବର୍ଷରେ ୫୦ ହଜାରରୁ ଅଧିକ ଲୋକଙ୍କ ପାଇଁ ଚାକିରି ସୁଯୋଗ ସୃଷ୍ଟି ହେବ । ଉତ୍ତରପ୍ରଦେଶର ଲକ୍ଷ୍ନୌର ‘ଲୁଲୁ ମଲ’ ଏଭଳି ଏକ ବଡ଼ ସୁଯୋଗ ଆଣିବାକୁ ଯାଉଛି । ଏହି ମଲକୁ ନିର୍ମାଣ କରିଥିବା ସଂଯୁକ୍ତ ଅରବ ଏମିରେଟ (ୟୁଏଇ)ର ଲୁଲୁ ଗ୍ରୁପ ଦେଶରେ ୧୦ ହଜାର କୋଟି ଟଙ୍କା ନିବେଶ କରିବାକୁ ଯାଉଛି ।

ଭାରତୀୟ ମୂଳ ଉଦ୍ୟୋଗପତି ଓ ଲୁଲୁ ଗ୍ରୁପର ଅଧ୍ୟକ୍ଷ ୟୁସୁଫ ଅଲୀ କମ୍ପାନୀର ଭବିଷ୍ୟତ ପ୍ଲାନିଂ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଭାରତରେ ଲୁଲୁ ଗ୍ରୁପ ପୂର୍ବରୁ ୨୦ ହଜାର କୋଟି ଟଙ୍କା ନିବେଶ କରି ସାରିଛି । ଅଲଗା ଅଲଗା କାର୍ଯ୍ୟରେ ଦେଶରେ ୨୨ ହଜାରରୁ ଅଧିକ ଲୋକଙ୍କୁ ଚାକିରି ମିଳିଛି । ଦେଶର ବିଭିନ୍ନ ସହରରେ ଡେଷ୍ଟିନେସନ ମଲ ଖୋଲିବା ପାଇଁ କମ୍ପାନୀ ୩ ହଜାର କୋଟି ନିବେଶ କରିବ ।

ତେଲେଙ୍ଗାନା ଉଦ୍ୟୋଗ ମନ୍ତ୍ରୀ ଟି. ରାମା ରାଓଙ୍କ ଉପସ୍ଥିତିରେ ରାଜ୍ୟରେ ୩,୫୦୦ କୋଟି ଟଙ୍କା ନିବେଶ ପାଇଁ ନିଷ୍ପତ୍ତି ହୋଇଛି । ସେଥିରେ ରାଜ୍ୟ ଭିତରେ ୩୦୦ କୋଟି ଟଙ୍କା ବ୍ୟୟରେ ଏକ ଡେଷ୍ଟିନେସନ ମଲକୁ ସାମିଲ କରାଯିବ । ଲୁଲୁ ଗ୍ରୁପ ଏବେ ଦେଶରେ ଡେଷ୍ଟିନେସନ ଶପିଂ ମଲ ଖୋଲିବାକୁ ଯାଉଛି । । ପୂର୍ବରୁ କମ୍ପାନୀ ଦେଶରେ ଶପିଂ ମଲ, ହୋଟେଲ ଓ ଫୁଡ ପ୍ରୋସେସିଂ ୟୁନିଟ କ୍ଷେତ୍ରରେ ୨୦ ହଜାର କୋଟି ନିବେଶ କରିସାରିଛି । ଏବେ କମ୍ପାନୀ ଏହାକୁ ବଢ଼ାଇବାକୁ ଲକ୍ଷ୍ୟରେ ଅହମ୍ମଦାବାଦ ଓ ଚେନ୍ନାଇରେ ଗୋଟିଏ ଲେଖାଏଁ ମଲ୍ ନିର୍ମାଣ କରୁଛି ।

କମ୍ପାନୀ ତେଲେଙ୍ଗାନାରେ ଏକ ଫୁଡ ପ୍ରୋସେସିଂ ୟୁନିଟ୍ ସ୍ଥାପନ କରିବା ସହିତ ହାଇଦ୍ରାବାଦର ଏୟାରପୋର୍ଟ ନିକଟରେ ଏକ ଏଗ୍ରିକଲଚର ସୋର୍ସିଂ ଓ ଲଜିଷ୍ଟିକ ହବ ବିକଶିତ କରିବ । ଏହାଛଡ଼ା ଅହମ୍ମଦାବାଦ, ଶ୍ରୀନଗର, ଗ୍ରେଟର ନୋଏଡ଼ା ଓ ବାରାଣାସୀରେ ଫୁଡ ପ୍ରୋସେସିଂ ୟୁନିଟସ ଏବଂ ରିଟେଲ ପ୍ରୋଜେକ୍ଟରେ ନିବେଶ କରିବ । ଏହି ନିବେଶ ଫଳରେ ସାରା ଦେଶରେ ୫୦ ହଜାର ଚାକିରି ସୃଷ୍ଟି ହେବ ବୋଲି କମ୍ପାନୀ ଆକଳନ କରିଛି ।

Get real time updates directly on you device, subscribe now.