fbpx

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟରେ ଖୋଲିବ ୬୦ଟି Panchayat Learning Center, ୭୦ଟି ବ୍ଲକରେ ସ୍ଥାପନ ହେବ Satellite Interactive Terminal

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପୁଳ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଆଜି ଲୋକସେବା ଭବନର କନଭେସନ୍ ହଲଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଜାତୀୟ ସ୍ତରରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପଞ୍ଚାୟତିରାଜ ସଂସ୍ଥାକୁ କେନ୍ଦ୍ର ସରକାରଙ୍କ ପୁରସ୍କାରର ଯଥାକ୍ରମେ ୬ ଗୁଣ, ୩ ଗୁଣ ଓ ୨ ଗୁଣ ଆର୍ଥିକ ପୁରସ୍କାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ, ଯେଉଁ ପଞ୍ଚାୟତିରାଜ ଅନୁଷ୍ଠାନ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିବ ତାକୁ ରାଜ୍ୟ ସରକାର, କେନ୍ଦ୍ର ସରକାର ଦେଉଥିବା ପୁରସ୍କାରର ୬ ଗୁଣ ଅର୍ଥ ରାଶି ପୁରସ୍କାର ଭାବରେ ଦିଆଯିବ । ସେହିପରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନକୁ ୩ ଗୁଣ ଓ ତୃତୀୟ ସ୍ଥାନ ପାଇଥିବା ଅନୁଷ୍ଠାନକୁ ୨ ଗୁଣ ଆର୍ôଥକ ପୁରସ୍କାର ଦିଆଯିବ । ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କ ମଧ୍ୟରେ ବିକାଶ ପାଇଁ ଏକ ସୁସ୍ଥ ପ୍ରତିଯୋଗିତା ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସୂଚନାଯୋଗ୍ୟ ଯେ, ଓଡିଶାର ପଞ୍ଚାୟତ ସଂସ୍ଥାମାନେ ପୁରସ୍କାର ପାଇବା ପରଠାରୁ ଅନ୍ୟ ରାଜ୍ୟର ପଞ୍ଚାୟତିରାଜ ସଂସ୍ଥା ମାନେ ଅଭିଜ୍ଞତା ପାଇଁ ଓଡିଶାକୁ ବହୁତ ଅନୁରୋଧ କରୁଛନ୍ତି ।

ଏହି ଘୋଷଣା ଅନୁଯାୟୀ, ଜାତୀୟ ସ୍ତରରେ ପ୍ରଥମ ହୋଇଥିବା ଗଞ୍ଜାମ ଜିଲ୍ଲା ପରିଷଦକୁ ୩୦ କୋଟି ଟଙ୍କା, ପ୍ରଥମ ସ୍ଥାନ ଅଧିକାର କରିଥିବା ହିଞ୍ଜିଳିକାଟୁ ପଞ୍ଚାୟତ ସମିତିକୁ ୧୨ କୋଟି ଟଙ୍କା ପୁରସ୍କାର ଦିଆଯାଇଥିଲା । ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକର କାଞ୍ଚୁରୁ ପଞ୍ଚାୟତ, ଭଞ୍ଜନଗର ବ୍ଲକର କୁଲଦା ପଞ୍ଚାୟତ, ହିଞ୍ଜିଳିକାଟୁର ଶାସନ ଆମ୍ବଗାଁ ଓ ପାତ୍ରପୁର ବ୍ଲକର ଆଙ୍କୁଲି ପଞ୍ଚାୟତକୁ ୨ କୋଟି ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଥିଲା । ତୃତୀୟ ସ୍ଥାନ ହାସଲ କରିଥିବା ସୁନ୍ଦରଗଡ ବଣାଇ ବ୍ଲକର ବଣାଇଗଡ ପଞ୍ଚାୟତକୁ ୧ କୋଟି ଟଙ୍କା ପୁରସ୍କାର ଦିଆଯାଇଥିଲା । ସମୁଦାୟ ୭ଟି ପଞ୍ଚାୟତିରାଜ ଅନୁଷ୍ଠାନକୁ ୫୨ କୋଟି ଟଙ୍କାର ପୁରସ୍କାର ଦିଆଯାଇଥିଲା ।

ଏହି ଅବସରରେ ପୁରସ୍କୃତ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ପଞ୍ଚାୟତିରାଜ ସଂସ୍ଥା ମାନଙ୍କୁ “ଗାଁ’ର ସରକାର” ବୋଲି ଅଭିହିତ କରି ସ୍ୱାଗତ ଜଣାଇଥିଲେ । ସେ କହିଥିଲେ ଯେ ଆମ କାମ ହେଉଛି ଆମର ପରିଚୟ । ଆଜି ବିକାଶର ବିଭିନ୍ନ ମାପଦଣ୍ଡରେ ଓଡିଶାର ପଞ୍ଚାୟତିରାଜ ଅନୁଷ୍ଠାନମାନେ ଆଜି ସାରା ଦେଶର ପଥ ପଦର୍ଶକ ହୋଇଛନ୍ତି । ଲୋକଙ୍କ ଆସ୍ଥା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ସଂସ୍ଥା ମାନଙ୍କୁ ପରାମର୍ଶ ଦେଇଥିଲେ ।

ଏ ଅବସରରେ ପଞ୍ଚାୟତ ସଂସ୍ଥା ମାନଙ୍କର ସଫଳତାକୁ ଆହୁରି ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ କେତକ ନୂଆ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ୨ଟି ପଞ୍ଚାୟତ ଚିହ୍ନଟ କରାଯାଇ ୬୦ଟି ପଞ୍ଚାୟତ ଲର୍ଣ୍ଣିଂ ସେଣ୍ଟର ସ୍ଥାପନ କରାଯିବ । ଏକ ଜ୍ଞାନ ସମ୍ବଳ କେନ୍ଦ୍ର ଭାବେ ଏହା ପଞ୍ଚାୟତ ଅନୁଷ୍ଠାନମାନଙ୍କର ଦକ୍ଷତା ବୃଦ୍ଧିରେ ସାହଯ୍ୟ କରିବ । ପଞ୍ଚାୟତମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାର ଲକ୍ଷ୍ୟ ନେଇ ଲୋକାଲ ଚାମ୍ପିୟନ ଟ୍ରେନିଂ ପ୍ରୋଗ୍ରାମ କରାଯିବ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଦ୍ୱାରା ଏହା କରାଯିବ । ଅନୁସୂଚିତ ଅଞ୍ଚଳର ୭୦ ଟି ବ୍ଲକରେ ସାଟେଲାଇଟ ଇଣ୍ଟରାକ୍ଟିଭ ଟର୍ମିନାଲ ସ୍ଥାପନ କରାଯାଇ ଦୂର ଶିକ୍ଷା ଯୋଗାଯୋଗ ବ୍ୟବସ୍ଥା କରାଯିବ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ (ଏସଆଇଆରଡି)ରେ ଅତ୍ୟାଧୁନିକ ଭିତ୍ତିଭୂମି ସୃଷ୍ଟି କରାଯିବ । ଏଥିରେ ୩୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ, ୨୫୦ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷ ଓ ସାଟେଲାଇଟ ବେସଡ୍ ଷ୍ଟୁଡିଓ ସ୍ଥାପନ କରାଯିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ସୋସାଇଟି ଫର ସୋସିଆଲ ଅଡିଟ୍, ଆକାଉଣ୍ଟାବିଲିଟି ଆଣ୍ଟ ଟ୍ରାନ୍ସଫରେନ୍ସ ସଂସ୍ଥାର ଏକ ୱେବସାଇଟ୍ ଏବଂ ଆମ ପଞ୍ଚାୟତ ସେବା ପୋର୍ଟାଲର ଶୁଭାରମ୍ଭ କରିଥିଲେ । ପଞ୍ଚାୟତମାନଙ୍କ କାମରେ ଅଧିକ ସ୍ୱଚ୍ଛତା ଓ ଦକ୍ଷତା ଆଣିବା ପାଇଁ ଏହି ପୋର୍ଟାଲ ସହାୟକ ହେବ । ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓଡିଶାର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ । ଶ୍ରମ ଓ ଇଏସଆଇ ମନ୍ତ୍ରୀ ସାରଦା ପ୍ରସାଦ ନାୟକ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ସଫଳ ନେତୃତ୍ୱ ପାଇଁ ଓଡିଶା ଆଜି ବିଶ୍ୱ ଦରବାରରେ ସମ୍ମାନର ଅଧିକାରୀ ହୋଇପାରିଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଅଞ୍ଜଳି ସ୍ୱାଇଁ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ହିଞ୍ଜିଳି ପଞ୍ଚାୟତ ସମିତିର ଅଧ୍ୟକ୍ଷା ସରସ୍ୱତୀ ସେଠୀ ଏବଂ ସୁନ୍ଦରଗଡ ବଣାଇଗଡ ପଞ୍ଚାୟତର ସରପଞ୍ଚ ନମିତା ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.