ପୁରୀ: ଶ୍ରୀକ୍ଷେତ୍ରରେ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷ କରି ଶ୍ରୀଜିଉମାନେ ରତ୍ନବେଦୀକୁ ବାହୁଡ଼ି ଯାଇଛନ୍ତି । ଆଜି ସକାଳୁ ରତ୍ନ ସିଂହାସନରେ ବନ୍ଧା ଯାଇଥିବା ଚାରମାଳ ଫିଟାଯାଇଛି । ଏହାପରେ ଶ୍ରୀଜିଉମାନଙ୍କୁ ମହାସ୍ନାନ କରାଯାଇ ଅନ୍ୟାନ୍ୟ ନୀତି କରାଯିବ । ଆଜିଠାରୁ ଆନନ୍ଦବଜାରରେ ଶ୍ରଦ୍ଧାଳୁମାନେ ମହାପ୍ରସାଦ ପାଇପାରିବେ । ଗତକାଲି ରାତିରେ ତିନିରଥ ଉପରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ନିଆଯାଇଥିଲା । ପ୍ରଥମେ ସୁଦର୍ଶନଙ୍କୁ ନିଆଯିବା ପରେ ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ନିଆଯାଇଥିଲା । ଶେଷରେ ଶ୍ରୀଜଗନ୍ନାଥ ଭିତର କାଠ ନିକଟରେ ପହଞ୍ଚିବା ପରେ ସେଠାରେ ବିବାହ ବେଳର ଗଇଁଠାଳ ଫିଟାଯାଇ ବନ୍ଦାପନା ହୋଇଥିଲା । ଏହାପରେ ପାରମ୍ପରିକ ରୀତିରେ ଗର୍ଭଗୃହରେ ଲକ୍ଷ୍ମୀ- ନାରାୟଣଙ୍କ କଳି ଅନୁଷ୍ଠିତ ହୋଇଥିଲା । ଶ୍ରୀଜିଉଙ୍କର ପ୍ରମୁଖ ସେବକ ଶୁଖୁଲି ଭୋଗ କରି ମହାଲକ୍ଷ୍ମୀଙ୍କର ମାନଭଞ୍ଜନ କରିଥିଲେ ।