ନୂଆଦିଲ୍ଲୀ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଅଜିତ ଅଗରକର ଭାରତୀୟ ପୁରୁଷ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ ହୋଇଛନ୍ତି । ଅଗରକର ଭାରତ ପାଇଁ ୨୬ଟି ଟେଷ୍ଟ ଓ ୧୯୧ଟି ଦିନିକିଆ ଖେଳିଛନ୍ତି । ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆବେଦନ କରିବା ପରେ ଅଗରକର ମୁଖ୍ୟ ଦାବିଦାର ରହିଥିଲେ ।
ଏହା ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ ପେସ ବେଲର ଅଗରକର ଦିଲ୍ଲୀ କ୍ୟାପିଟାଲସର କୋଚିଂ ଷ୍ଟାଫଙ୍କ ସଦସ୍ୟ ରହିଥିଲେ । ସେ ମୁଖ୍ୟ କୋଚ ରିକି ପଣ୍ଠିଂଙ୍କ ସହିତ ଆସିଷ୍ଟାଣ୍ଟ କୋଚ ଦାୟିତ୍ୱରେ ରହିଥିଲେ । ମାତ୍ର ନିକଟରେ ଅଗରକର ନିଜ ପଦରୁ ଇସ୍ତଫା ଦେଇଥିଲେ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆବେଦନର ଅନ୍ତିମ ତାରିଖ ଜୁନ ୩୦ ତାରିଖ ରହିଥିଲା । ଏହି ପଦ ପାଇଁ ଅଜିତଙ୍କ ନାମ ସର୍ବାଗ୍ରେ ରହିଥିଲା ।
୪୫ ବର୍ଷୀୟ ପୂର୍ବତନ ଭାରତୀୟ ପେସର ଅଜିତ ନିଜ କ୍ରିକେଟ କ୍ୟାରିୟରରେ ୨୬ଟି ଷ୍ଟେ, ୧୯୧ଟି ଦିନିକିଆ ଓ ୪ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ସେ ଟେଷ୍ଟରେ ୫୮ଟି, ଦିନିକିଆରେ ୨୮୮ଟି ଓ ଟି-୨୦ରେ ୩ଟି ୱିକେଟ ହାସଲ କରିଥିଲେ । ଏହାପୂର୍ବରୁ ଚେତନ ଶର୍ମା ମୁଖ୍ୟ ଚୟନକର୍ତ୍ତା ପଦରେ ରହିଥିଲେ । ମାତ୍ର ଚଳିତ ବର୍ଷ ପ୍ରାରମ୍ଭରେ ଏକ ଷ୍ଟିଙ୍ଗ ଅପରେସନ ଭିଡିଓ ସାମ୍ନାକୁ ଆସିବା ପରେ ଚେତନ ନିଜ ପଦରୁ ଇସ୍ତଫା ଦେଇଥିଲେ । ତା’ପରଠାରୁ ଶିବସୁନ୍ଦର ଦାସ କାର୍ଯ୍ୟକାରୀ ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ ତୁଲାଇ ଆସୁଥିଲେ । ତାଙ୍କ ସହିତ ୩ ଜଣ ଅନ୍ୟ ସଦସ୍ୟ ରହିଛନ୍ତି ।