ଜୁଲାଇ –ସେପ୍ଟେମ୍ବର ତ୍ରୈମାସରେ କ୍ଷୁଦ୍ର ସଞ୍ଚୟ ଯୋଜନାରେ ବଢିଲା ସୁଧ ହାର, ଜାଣି ନିଅନ୍ତୁ କେଉଁ ସଞ୍ଚୟ ଯୋଜନାରେ କେତେ ବଢିଲା ସୁଧ
ନୂଆଦିଲ୍ଲୀ: ସରକାର ଜୁଲାଇ –ସେପ୍ଟେମ୍ବର ତ୍ରୈମାସରେ କେତେକ କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧ ହାର ବୃଦ୍ଧି କରିଛନ୍ତି । ଡାକଘରେ ୧ କିମ୍ବା ୨ ବର୍ଷୀୟ ଟାଇମ୍ ଡିପୋଜିଟ୍ ଓ ୫ ବର୍ଷୀୟ ରିକରିଂ ଡିପୋଜିଟ୍ ଉପରେ ସୁଧ ହାର ବୃଦ୍ଧି କରିଛନ୍ତି ।
ଡାକଘରେ କ୍ଷୁଦ୍ର ସଞ୍ଚୟ ଯୋଜନାରେ ବହୁ ଲୋକ ନିବେଶ କରିଥାନ୍ତି । ପଇସା ହରାଇବାର କୌଣସି ଆଶଙ୍କା ନ ଥିବାରୁ ଏବଂ ଭଲ ସୁଧ ମିଳୁଥିବା କାରଣରୁ ଡାକଘରର ଏହି କ୍ଷୁଦ୍ର ସଞ୍ଚୟ ଯୋଜନା ବହୁତ ଲୋକପ୍ରିୟ । ଅନ୍ୟପକ୍ଷରେ ପୋଷ୍ଟ ଅଫିସ୍ ର ଟାଇମ୍ ଡିପୋଜିଟ୍ ସ୍କିମ୍ ବା ଏଫ୍ ଡି ଉପରେ ସୁଧ ବ୍ୟାଙ୍କ ଏଫ୍ ଡି ଠାରୁ ବି ଅଧିକ ରହିଛି ।
କୌଣସି ବି ବରିଷ୍ଠ ନାଗରିକ ପୋଷ୍ଟ ଅଫିସ୍ ରେ ଟାଇମ୍ ଡିପୋଜିଟ୍ ଆକାଉଣ୍ଟ ଖୋଲିପାରିବ । ପିଲାଙ୍କ ନାମରେ ବି ମାତାପିତା କିମ୍ବା ଅଭିଭାବକ ଡାକଘରେ ଏଫଡି ଆକାଉଣ୍ଟ ଖୋଲିପାରିବେ । ଅତି କମ୍ରେ ୧୦୦୦ ଟଙ୍କା ଜମା କରି ଡାକଘରେ ଏଫଡି ଖାତା ଖୋଲାଯାଇପାରିବ । ଏଥିରେ ସର୍ବାଧିକ ଜମାର କୌଣସି ସୀମା ନାହିଁ । ହଜାର, ଲକ୍ଷ କିମ୍ବା କୋଟି ଆପଣ ଯେତେ ଚାହିଁବେ ସେତେ ଜମା କରିପାରିବେ ।
ଡାକଘରେ ଏକ ବର୍ଷିଆ ଏଫଡି ଉପରେ ସରକାର ସୁଧ ୬.୮ ପ୍ରତିଶତରୁ ବୃଦ୍ଧି କରି ୬.୯ ପ୍ରତିଶତ କରି ଦେଇଛନ୍ତି । ଏହି ଯୋଜନାରେ ଆପଣ ୧ ବର୍ଷ ପାଇଁ ୧୦,୦୦୦ ଟଙ୍କା ସଞ୍ଚୟ କଲେ ଆପଣଙ୍କୁ ମାଚ୍ୟୁରିଟି ପରେ ୧୦, ୭୦୮ ଟଙ୍କା ମିଳିବ । ସେହିପରି ପୋଷ୍ଟ ଅଫିସ୍ରେ ୨ ବର୍ଷୀୟ ଏଫଡି ଉପରେ ୧ ଜୁଲଶଇ ୨୦୨୩ରୁ ସରକାର ସୁଧ ହାର ବଢାଇଛନ୍ତି । ଏବେ ଏହି ସ୍କିମ୍ରେ ଅର୍ଥ ନିବେଶ କରୁଥିବା ବ୍ୟକ୍ତିଙ୍କୁ ୬.୯ ପରିବର୍ତ୍ତେ ୭.୦ ପ୍ରତିଶତ ହାରରେ ସୁଧ ମିଳିବ । ଏହି ସ୍କିମ୍ ରେ ଆପଣ ୧୦,୦୦୦ ଟଙ୍କା ନିବେଶ କଲେ ୨ ବର୍ଷ ପରେ ୧୧, ୪୮୯ ଟଙ୍କା ପାଇବେ ।
ସେହିପରି ୫ ବର୍ଷର ରିକରିଂ ଡିପୋଜିଟ୍ ଉପରେ ସୁଧ ମଧ୍ୟ ବୃଦ୍ଧି କରାଯାଇଛି । ଏବେ ଏହା ୬.୫ ପ୍ରତିଶତ ରହିଛି । ଗତ ତ୍ରୈମାସରେ ଏହା ୬.୨ ପ୍ରତିଶତ ଥିଲା ।
୩ ବର୍ଷୀୟ ଏଫଡି ଉପରେ ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଗତ ତ୍ରୈମାସ ପରି ଚଳିତ ତ୍ରୈମାସରେ ମଧ୍ୟ ଏହା ୭.୦ ପ୍ରତିଶତ ରହିବ । ଅନ୍ୟପକ୍ଷରେ ଡାକଘରେ ୫ ବର୍ଷୀୟ ଏଫଡି ଉପରେ ୭.୫ ପ୍ରତିଶତ ହାରରେ ସୁଧ ମିଳିବ । ଚଳିତ ତ୍ରୈମାସରେ ଏହି ଏଫଡି ଉପରେ ସୁଧ ହାର ବୃଦ୍ଧି କରାଯାଇନାହିଁ । ଆପଣ ଏହି ଯୋଜନାରେ ୧୦,୦୦୦ ଟଙ୍କା ନିବେଶ କଲେ ୫ ବର୍ଷ ପରେ ୧୪, ୪୯୯ ଟଙ୍କା ପାଇବେ ।