fbpx

ବଦଳିବ କେନ୍ଦ୍ର ମନ୍ତ୍ରିମଣ୍ଡଳ: ଧର୍ମେନ୍ଦ୍ରଙ୍କୁ କେଉଁ ଦାୟିତ୍ୱ ମିଳିବ, ଓଡ଼ିଶା ଉପରେ ରହିଛି ସଭିଙ୍କ ନଜର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିଜେପି ତା’ର ସଂଗଠନ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ କରିଦେଇଛି । ଗତ ୪ ତାରିଖରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ପଞ୍ଜାବର ପ୍ରଦେଶ ଅଧ୍ୟକ୍ଷଙ୍କୁ ପରିବର୍ତ୍ତନ କରିଥିଲା ଭାଜପା । ତେବେ ନିକଟରେ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପ୍ରସଙ୍ଗକୁ ନେଇ ଅଧିକ ଚର୍ଚ୍ଚା ହେବାରେ ଲାଗିଛି ।

ଆସନ୍ତା ମାସ ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଏହି ଅବସରରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ନେଇ ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଏହା ମଧ୍ୟରେ ଓଡ଼ିଶାର ରାଜନୀତିକୁ ନେଇ ଜାତୀୟ ଗଣମାଧ୍ୟମରେ ଏକ ବଡ଼ ଚର୍ଚ୍ଚା ହେଉଛି । ଗତ ୨୦୧୯ ଲୋକସଭା ନିର୍ବାଚନରେ ୨୦୧୪ ଅପେକ୍ଷା ବିଜେପି ଅଧିକ ସାଂସଦ ସିଟ୍ ଅକ୍ତିଆର କରିଥିବାରୁ ଏଥର ମଧ୍ୟ ଦଳ ଅନୁରୂପ ଫର୍ମୂଲା ଆପଣାଇପାରେ । ବିଶେଷ କରି ଦଳ ପଶ୍ଚିମ ଓଡ଼ିଶାର ଜଣଙ୍କୁ ମନ୍ତ୍ରୀପଦ ଦେଇପାରେ ବୋଲି ଗତ ଜାନୁଆରୀ ମାସରେ ଅନୁଷ୍ଠିତ ହୋଇଥିବା ଜାତୀୟ କାର୍ଯ୍ୟକାରିଣୀ ସମୟରେ ଚର୍ଚ୍ଚା ହେଉଥିଲା ।

ତେବେ ଏବେ ଧର୍ମେନ୍ଦ୍ର କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ରହିଥିବା ବେଳେ ଦଳ ତାଙ୍କୁ କେଉଁ ଦାୟିତ୍ୱ ଦେଉଛି ତାହା ଉପରେ ଏବେ ସଭିଙ୍କ ନଜର । ତେବେ ଧର୍ମେନ୍ଦ୍ରଙ୍କୁ ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ୱ ଦିଆଯାଇପାରେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ୟୁପି ପରି ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଧର୍ମେନ୍ଦ୍ର ୨୦୧୯ ସାଧାରଣ ଓ ୨୦୨୨ ବିଧାନସଭା ନିର୍ବାଚନ ସମୟରେ ପ୍ରଭାରୀ ରହିଥିଲେ । ଏପରିକି ଧର୍ମେନ୍ଦ୍ର ଜେପି ନଡ୍ଡାଙ୍କ ବଦଳରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳି ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । କେନ୍ଦ୍ର କ୍ୟାବିନେଟରେ ମୋଟ ୮୧ ଜଣ ମନ୍ତ୍ରୀ ରହିପାରିବେ । ପୂର୍ବରୁ ମୋଦୀଙ୍କ କ୍ୟାବିନେଟରେ ୭୮ ଜଣ ମନ୍ତ୍ରୀ ରହିଥିବାରୁ ଏବେ ମାତ୍ର ୩ଟି ସିଟ୍ ବାକି ରହିଛି ।

Get real time updates directly on you device, subscribe now.