ନୂଆଦିଲ୍ଲୀ:କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ଏହାର ଯୋଗ୍ୟ ସଦସ୍ୟଙ୍କୁ ଅଧିକ ପେନସନ ବିକଳ୍ପ ପ୍ରଦାନ କରୁଛି । ତେବେ ଏଥିପାଇଁ ଆବେଦନ କରିବାର ତାରିଖ ଆଉ ମାତ୍ର ୨ ଦିନ ବାକି ଅଛି । ପୂର୍ବରୁ ଇପିଏଫଓ ପକ୍ଷରୁ ଏଥିପାଇଁ ଆବେଦନ ନିମନ୍ତେ ଦୁଇ ଥର ସମୟ ସୀମା ବୃଦ୍ଧି କରାଯାଇ ଥିଲା । ଏଥିପାଇଁ ଆପଣ ଖୁବ୍ ସହଜରେ ଅନଲାଇନ୍ ରେ ଘରେ ବସି ଆବେଦନ କରିପାରିବେ ।
କର୍ମଚାରୀ ପେନସନ୍ ଯୋଜନା(ଇପିଏସ୍)ରେ ଅଧିକ ପେନସନ୍ ଲାଗି ଆବେଦନ କରିବାର ସମୟସୀମା ଶେଷ ହେବାକୁ ଯାଉଛି । ଏଥିଲାଗି ଆବେଦନ କରିବାର ଶେଷ ତାରିଖ ୧୧ ଜୁଲାଇ ୨୦୨୩ ଧାର୍ଯ୍ୟ କରାଯାଇଥିଲା । ଏଣୁ ଆପଣ ଅଧିକ ପେନସନ୍ ଲାଗି ଏ ପର୍ଯ୍ୟନ୍ତ ଆବେଦନ କରି ନ ଥିଲେ ସମୟସୀମା ଶେଷ ହେବା ପୂର୍ବରୁ ଏହା କରି ନିଅନ୍ତୁ ।
ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏକ ବୟାନରେ କୁହାଯାଇଛି ଇପିଏଫଓ ୪ ନଭେମ୍ବର ୨୦୨୨ ରେ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ପେନସନଭୋଗୀ ସଦସ୍ୟଙ୍କ ଠାରୁ ଅଧିକ ପେନସନ୍ ପାଇବା ଲାଗି ଆବେଦନ ପତ୍ର ଆହ୍ୱାନ କରିଛି । ଏହି ପ୍ରକ୍ରିୟାକୁ ସରଳ କରିବା ଲାଗି ଅନଲାଇନ୍ ସୁବିଧା ଉପଲବ୍ଧ କରାଯାଇଛି । ପ୍ରଥମେ ଅଧିକ ପେନସନ୍ ଅପସନ୍ ଚୟନ ଲାଗି ୩ ମେ’ ୨୦୨୩ ପର୍ଯ୍ୟନ୍ତ ସମୟ ସୀମା ଥିଲା । ପରେ ଏହାକୁ ବଢାଯାଇ ୨୬ ଜୁନ୍ ୨୦୨୩ କରାଯାଇଥିଲା । ଏହାପରେ ପୁନର୍ବାର ଏହି ସମୟସୀମା ବୃଦ୍ଧି କରାଯାଇ ଆବେଦନ କରିବାର ଅନ୍ତିମ ତାରିଖ ୧୧ ଜୁଲାଇ କରାଯାଇଥିଲା ।
ମେ’ ମାସ ପ୍ରଥମ ସପ୍ତାହରେ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଥିଲା ଯେ, ଯେଉଁମାନେ ହାଇଅର୍ ପେନସନ୍ ଅପ୍ସନ ଚୟନ କରିବେ ସେମାନଙ୍କୁ ମୂଳ ବେତନର ୧.୧୬ ପ୍ରତିଶତ ଅତିରିକ୍ତ ପେନସନ ପ୍ରଦାନ କରାଯିବ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ସରକାରୀ କର୍ମଚାରୀଙ୍କ ପେନସନ ଯୋଜନାରେ ୧୫,୦୦୦ଟଙ୍କା ମୂଳ ବେତନ ସୀମା ଉପରେ ୧.୧୬ ପ୍ରତିଶତ ସବସିଡି ରୂପରେ ପ୍ରଦାନ କରାଯିବ । ଏ ପର୍ଯ୍ୟନ୍ତ କର୍ମଚାରୀ ଇପିଏଫଓ ସାମାଜିକ ସୁରକ୍ଷା ଯୋଜନାରେ ୧୨ ପ୍ରତିଶତ ଯୋଗଦାନ ଦେଉଛନ୍ତି । ଇପିଏଫଓ ପକ୍ଷରୁ ଦିଆଯାଇଥିବା ସୂଚନା ଆଧାରରେ ଯେଉଁ କର୍ମଚାରୀଙ୍କର ୫,୦୦୦ ଟଙ୍କା କିମ୍ବା ୬,୫୦୦ ଟଙ୍କାର ତତ୍କାଳୀନ ବେତନ ସୀମାରୁ ଅଧିକ ବେତନ ଯୋଗଦାନ କରିଛି ଓ ଇପିଏସ-୯୫ ର ସଦସ୍ୟ ହେବା ସହିତ ଇପିଏସ୍ ବିକଳ୍ପକୁ ଚୟନ କରିଛନ୍ତି ସେ ଏହି ଅଧିକ ପେନସନ୍ ଲାଗି ଯୋଗ୍ୟ ହେବେ ।