ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣା ପାଇଁ ଲାଗିପାରେ ଭୟଙ୍କର ମାମଲା । ଯାହା ଭୁଲ ପାଇଁ ଶହ ଶହ ଯାତ୍ରୀଙ୍କ ପ୍ରାଣ ଯାଇଛି, ସେମାନଙ୍କୁ କି ପ୍ରକାର ଦଣ୍ଡ ମିଳିବ ସେ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ସେମାନଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିବା ପାଇଁ ଜନସାଧାରଣରେ ଦାବି ହେଉଛି । ବାହାନଗା ରେଳ ଦୁର୍ଘଟଣାକୁ ନେଇ ସିବିଆଇ ଜୋରଦାର ତଦନ୍ତ ଜାରି ରଖିଛି । ବିଭିନ୍ନ ଦିଗକୁ ନେଇ ୩ ଅଭିଯୁକ୍ତଙ୍କୁ ଜେରା ପରେ ଜେରା କରିଥିଲା ସିବିଆଇର ସ୍ୱତନ୍ତ୍ର ଟିମ୍ । ଏହି ପଚରାଉଚରାରୁ ସିବିଆଇକୁ ଅନେକ ତଥ୍ୟ ମିଳିଛି । ଯାହା ଏବେ ଲୋକ ଲୋଚନକୁ ଆସିନାହିଁ ।
ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କର ରିମାଣ୍ଡ ଅବଧି ଶେଷ ହୋଇ ସାରିଥିବା ବେଳେ ଆଜି ପୁଣି ୪ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟରୁ ଅନୁମତି ପାଇଛି ସିବିଆଇ । ପୁଣିଥରେ ଘନ ଘନ ଜେରା କରିବା ସହ ସତ ବାହାର କରିବା ପାଇଁ ଚେଷ୍ଟା କରିବ ତଦନ୍ତକାରୀ ଟିମ୍ । ତେବେ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ପାଇଁ ଏମାନଙ୍କ ବିରୋଧରେ ଭୟଙ୍କର ଦଣ୍ଡାଦେଶ ଶୁଣାଇପାରନ୍ତି ମାନ୍ୟବର କୋର୍ଟ । ଯାହା ଏବେ ଏହି ୩ ଅଭିଯୁକ୍ତ ସିନିୟର ସେକସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତି, ସେକ୍ସନ ଇଞ୍ଜିନିୟର ମହମ୍ମଦ ଆମିର ଖାଁ ଏବଂ ଟେକନିସିଆନ୍ ପପୁ କୁମାର କ୍ଷେତ୍ରରେ ଲାଗିପାରେ । କାରଣ ଏହି ୩ ଜଣ ହେଉଛନ୍ତି ବାହାନଗା ରେଳ ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ । ଯେଉଁ ମାନଙ୍କୁ ସୁରାକ ପାଇ ୫ ଦିନ ତଳେ ଗିରଫ କରିଥିଲା ସିବିଆଇ ।
ଏହି ୩ ଅଭିଯୁକ୍ତଙ୍କ କ୍ଷେତ୍ରରେ ୩୦୪ ଏବଂ ୨୦୧ ଧାରା ଲାଗିଛି । ତେବେ ସିବିଆଇ ଜେରା ପରେ ସିବିଆଇ ଆହୁରି ଅନ୍ୟାନ୍ୟ ଧାରା ଲଗାଇବାର ସମ୍ଭାବନା ମଧ୍ୟ ରହିଛି । କିନ୍ତୁ ସିବିଆଇ ବର୍ତ୍ତମାନ ମାମଲାର କେଉଁ ଦିଗକୁ ନେଇ ତଦନ୍ତ କରୁଛି ସେହି ଅନୁସାରେ ଅଧିକ ଧାରା ଲାଗିପାରେ । ତେବେ ସମସ୍ତ ପ୍ରମାଣ ଏମାନଙ୍କ ବିରୋଧରେ ଆସିଲେ ହତ୍ୟା ମାମଲା ଲାଗିବା ଏକପ୍ରକାର ସୁନିଶ୍ଚିତ । ତେଣୁ ୨୯୩ ଜଣଙ୍କ ମୃତ୍ୟୁ ପାଇଁ ଯଦି ଏମାନଙ୍କୁ ଦୋଷୀ ବୋଲି ଘୋଷଣା କରାଯାଏ, ତେବେ କୋର୍ଟ ଏହି ୩ ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇପାରନ୍ତି । ତେବେ ବର୍ତ୍ତମାନ ଏମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ସିବିଆଇ ୪ ଦିନ ଜେରା କରିବା ପାଇଁ ନେଇଛି । ଏହାପରେ ସବିିଆଇ କ’ଣ ସୁରାଗ ପାଉଛି, ତାହାକୁ ଅପେକ୍ଷା ।