ମ୍ୟାଲେରିଆ ଜଣ୍ଡିସ୍ ରୋଗରେ ପଡିପାରନ୍ତି ଆପଣ : ବର୍ଷାଋତୁରେ ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର : ସବୁ ଋତୁ ମାନଙ୍କ ମଧ୍ୟରେ ବର୍ଷା ଋତୁ ଅନ୍ୟତମ । ଏହି ଋତୁରେ ଜୀବଜଗତ ସଜୀବ ହୋଇଉଠେ ଓ ସାରା ପରିବେଶ ସବୁଜମୟ ଦେଖାଯାଇଥାଏ । ଚାଷୀମାନେ ଦୀର୍ଘ ଦିନ ହେଲା ଅନେଇ ବସିଥାନ୍ତି ଏହି ମୌସୁମୀକୁ । ତେବେ ଏହି ସବୁ ଭିତରେ ବର୍ଷା ଦିନ ଆସିଥାଏ, ହେଲେ ଏହା ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ । ବର୍ଷା ଦିନରେ ମଶା, ମାଛିଙ୍କ ସଂଖ୍ୟା ବଢିଯାଇଥାଏ । ଫଳରେ ମ୍ୟାଲେରିଆ, ଜଣ୍ଡିସ୍ ଭଳି ମାରାତ୍ମକ ରୋଗର ଶିକାର ହେବାକୁ ପଡିଥାଏ । ଯଦି ଏହି ସବୁ ରୋଗଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ତେବେ କିଛି ସାବଧାନ ଅବଲମ୍ବନ କରିବାକୁ ପଡିବ । ଏପରି କିଛି ଘରୋଇ ଉପଚାର ରହିଛି ଯାହା ଦ୍ୱାରା ଆପଣ ଏଥିରୁ ମୁକ୍ତି ପାଇପାରିବେ ।

ତେବେ ଆସନ୍ତୁ ଜାଣିବା ଏହି ସବୁ ସମସ୍ୟାରୁ ମୁକ୍ତି ପାଇବାର ଉପାୟ :

-ଘର ଚାରି ପାଖରେ ପାଣି ଜମା ରଖନ୍ତୁ ନାହିଁ । ବଚିଚାରେ ଥିବା ସବୁ ଗାତ ଗୁଡିକୁ ମାଟି ଦ୍ବାରା ବନ୍ଦ କରିଦିଅନ୍ତୁ ।
-ଘରେ କିମ୍ବା ଘର ବାହାରେ ଥିବା ଅଳିଆ ଆବର୍ଜନାକୁ ତୁରନ୍ତ ସଫା କରି ସେଠାରେ ବ୍ଳିଚିଙ୍ଗ, ଗ୍ୟାମାକସିନ୍‌ କିମ୍ବା ଫିନାଇଲ୍ ଭଳି କିଛି ସଂକ୍ରମଣ ମୁକ୍ତ ସାମଗ୍ରୀ ପକାଇ ଦିଅନ୍ତୁ ।
-ରୁମ୍ କୁଲର, ଫୁଲଦାନୀ ମଧ୍ଯରେ ଥିବା ପାଣି ସପ୍ତାହକୁ ଥରେ ଏବଂ ଘରେ ଥିବା ପକ୍ଷୀ ମାନଙ୍କର ଦାନା ପାଣିକୁ ସବୁବେଳେ ସଫା କରନ୍ତୁ ।
-ଯଦି ସମ୍ଭବ ହେଉଛି ତେବେ ଝରକା କବାଟ ଆଦିରେ ଜାଲି ଲଗାଇ ମଶା ମାନଙ୍କୁ ଘରକୁ ପ୍ରବେଶ କରିବାରୁ ରୋକିପାରିବେ ।
-ମଶା ମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ମଶା ମରା କ୍ରିମ୍,ସ୍ପ୍ରେ,ମ୍ୟାଟସ୍,କଏଲ ଆଦି ବ୍ୟବହାର କରିପାରିବେ ।
-ସପ୍ତାହକୁ ଥରେ ଘରର ସବୁ ସ୍ଥାନରେ ମଶା ମରା ଔଷଧ ସିଞ୍ଚନ କରନ୍ତୁ । ସିଞ୍ଚନ ସମୟରେ ନିଜର ମୁହଁକୁ କପଡା ସାହାଯ୍ୟରେ ବାନ୍ଧି ଦିଅନ୍ତୁ ଏବଂ ଖାଦ୍ୟ ସାମଗ୍ରୀକୁ ଘୋଡାଇ ରଖନ୍ତୁ ।
-ପିଇବା ପାଣିରେ କ୍ଳୋରିନ୍ ବଟିକା ମିଶାନ୍ତୁ ଏବଂ ପାଣିକୁ ଫୁଟାଇ ପିଅନ୍ତୁ ।
-ବିଶେଷ କରି ବର୍ଷା ଦିନେ ବାହାର ଖାଦ୍ଯ ଖାଇବାରୁ ଦୂରେଇ ରୁହନ୍ତୁ ।
-ଯେତେବେଳେ ବି ଖାଦ୍ଯ ଖାଉଛନ୍ତି ହାତକୁ ଭଲ ଭାବେ ଧୋଇବା ସହିତ ଖାଇବା ପାତ୍ରକୁ ମଧ୍ୟ ଭଲ ଭାବେ ଧୋଇ ଖାଆନ୍ତୁ ।
-ବର୍ଷା ଦିନେ ନିଜେ ଏବଂ ନିଜ ଛୁଆମାନଙ୍କୁ ଶରୀର ସମ୍ପୂର୍ଣ୍ଣ ଢାଙ୍କି ହୋଇ ରହୁଥିବା ଭଳି ପୋଷାକ ପିନ୍ଧାନ୍ତୁ ।