fbpx

ଜଣେ ଗିରଫ: ଦୋଷୀଙ୍କୁ ମୃତ୍ୟୁଦଣ୍ଡ……: ମଣିପୁର ଭାଇରାଲ ଭିଡିଓ ପରେ ମୁଖ୍ୟମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ: ମଣିପୁରରେ ଦୁଇଜଣ ମହିଳାଙ୍କ ସହ ଘଟିଥିବା ଅମାନବୀୟ ଘଟଣାକୁ ନେଇ ଏବେ ସାରା ଦେଶରେ ବିରୋଧାଭାସ ଜାରି ରହିଛି । ଦୁଇଜଣ ମହିଳାଙ୍କୁ ନିର୍ବସ୍ତ୍ର କରି ବୁଲାଇଥିଲେ କିଛି ବ୍ୟକ୍ତି । ପୂର୍ବରୁ ଏହି ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହ ଦେଇଥିବା ବେଳେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି । ଏହି ଘଟଣାକୁ ବିଭିନ୍ନ ରାଜ୍ୟ ସରକାର, ପ୍ରଧାନମନ୍ତ୍ରୀ ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାପରତି, ବିରୋଧୀ ଦଳ ତୀବ୍ର ନିନ୍ଦା କରିଛନ୍ତି ।

ମଣିପୁରର ଦୁଇଜଣ ମହିଳାଙ୍କ ସହିତ ସାମୂହିକ ଭାବେ ଦୁର୍ବ୍ୟବହାରର ଭିଡିଓ ଭାଇରାଲ ପରେ ଏବେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଭାବ ସୃଷ୍ଟି ହୋଇଛି । ମହିଳାଙ୍କୁ ନିର୍ବସ୍ତ୍ର କରି ବୁଲାଇବା ଘଟଣାକୁ ନେଇ ସାରା ଦେଶବାସୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେବେ ଏହି ଘଟଣାର ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନାମ ଖୁରିଏମ ହିରୋ ବୋଲି ଜଣାପଡ଼ିଛି ।

ମଣିପୁରର ସ୍ଥିତିକୁ ନେଇ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ପିଏମ ମୋଦୀଙ୍କୁ ଟାର୍ଗେଟ କରିବା ସହିତ ପୂର୍ବ-ଉତ୍ତର ରାଜ୍ୟରେ ଭାରତର ବିଚାର ଉପରେ ଆକ୍ରମଣ କରାଯାଉଛି । ଜାତୀୟ ହିଂସା ପ୍ରଭାବିତ ମଣିପୁରରେ ଦୁଇ ମହିଳାଙ୍କୁ ନିର୍ବସ୍ତ୍ର କରି ବୁଲାଇବା ଘଟଣାରେ ଇଣ୍ଡିଆ ଚୁପ୍ ବସିବନି ବୋଲି ସେ କହିଛନ୍ତି । ସେହିପରି ରାଜ୍ୟର ସ୍ଥିତି ଉପରେ ଧ୍ୟାନ ଦେଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ପୂର୍ବରୁ ଏହି ଘଟଣାକୁ ମୋଦୀ ନିନ୍ଦା କରିବା ସହିତ ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି କହିଥିଲେ ।

Get real time updates directly on you device, subscribe now.