fbpx

ବୟନଶିଳ୍ପକୁ ନୂଆ ପରିଚୟ ଦେବେ ରାଜ୍ୟ ସରକାର: ୨୫ଟି ରାଜ୍ୟରେ ଉପଲବ୍ଧ ହେବ ଓଡ଼ିଶାର ହସ୍ତତନ୍ତ, ବୁଣାକାରଙ୍କୁ ମିଳିବ ବଡ଼ ବଜାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାକୁ ବିକାଶ ଦିଗରେ ଆଗେଇ ନେବା ସହିତ ରାଜ୍ୟର ଉତ୍ପାଦିତ ବିଭିନ୍ନ ପ୍ରକାର ସାମଗ୍ରୀକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଯଥେଷ୍ଟ ପଦକ୍ଷେପ ଗ୍ରହଣ କରୁଛନ୍ତି । ମାଣ୍ଡିଆର ପ୍ରଚାର, ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ଉଦ୍ୟମ କରିବା ସହିତ ‘ମିଲେଟ ମିଶନ’ ପ୍ରତିଷ୍ଠା କରି ତାହାକୁ ବିଶ୍ୱସ୍ତରରେ ପହଞ୍ଚାଇଛନ୍ତି । ଆଗାମୀ ଦିନରେ ରାଜ୍ୟର ଚାଷୀଭାଇଙ୍କ ଦ୍ୱାରା ଉତ୍ପାଦିତ ଅନେକ ସାମଗ୍ରୀକୁ ନୂଆ ପରିଚୟ ମିଳିବ ।

ତେବେ ରାଜ୍ୟର ହସ୍ତତନ୍ତର ଚାହିଦା ରାଜ୍ୟ ବାହାରେ ଓ ବିଦେଶରେ ରହିଛି । ଦେଶର ଦକ୍ଷିଣ ଓ ମଧ୍ୟ ଅଞ୍ଚଳରେ ଓଡ଼ିଶା ହସ୍ତତନ୍ତକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ତେଣୁ ହସ୍ତତନ୍ତ ଉତ୍ପାଦକୁ ଏକ ବଡ଼ ବଜାର ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଏଥିପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇଥିବା ବେଳେ ୨୫ଟି ରାଜ୍ୟର ସହଯୋଗରେ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ସକ୍ରିୟ ଥିବା ହସ୍ତତନ୍ତ ଏଜେନ୍ସିମାନଙ୍କ ସହ ଯୋଗାଯୋଗ କରାଯିବ ।

ରାଜ୍ୟର ହସ୍ତତନ୍ତର ଅନେକ କ୍ଲଷ୍ଟର ତଥା ସମବାୟ ସମିତି ରହିଥିବା ବେଳେ ସେହିସବୁ କ୍ଲଷ୍ଟରରେ ହସ୍ତତନ୍ତ ବୁଣାକାରମାନେ ଯୋଡ଼ି ହୋଇରହିଛନ୍ତି । ରାଜ୍ୟର ଉତ୍ପାଦଗୁଡ଼ିକ ମଧ୍ୟରେ ସମ୍ବଲପୁରୀ, ବୋମକେଇ, ଖଣ୍ଡୁଆ ପାଟ, ବ୍ରହ୍ମପୁରୀ ପାଟ, କୋଟପାଡ଼ ଶାଢ଼ି ଆଦି ରହିଛି । ଓଡ଼ିଶାର ହସ୍ତତନ୍ତର ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟକୁ ରପ୍ତାନୀ କରାଯିବ । ବିଭିନ୍ନ ରାଜ୍ୟର ହସ୍ତତନ୍ତ ସଂଗଠନ ଓ ବ୍ୟବସାୟୀମାନେ ଓଡ଼ିଶାର ହସ୍ତତନ୍ତର ମାନ ଓ ପ୍ରକାର ବିଷୟରେ ବିଦେଶୀ ଗ୍ରାହକଙ୍କୁ ଅବଗତ କରାଇବେ ।

ବାହାର ରାଜ୍ୟର ବ୍ୟବସାୟୀଙ୍କୁ ରିହାତି ମୂଲ୍ୟରେ ହସ୍ତତନ୍ତ ଉତ୍ପାଦ ପ୍ରଦାନ କରାଯିବ । ପ୍ରତିବର୍ଷ ବୟନିକାର ବ୍ୟାପାର ବଢ଼ିବାରେ ଲାଗିଥିବା ବେଳେ ରାଜ୍ୟରେ ଏହା ସୀମିତ ହୋଇ ରହିଛି । ତେଣୁ ରାଜ୍ୟ ସରକାର ଏହାକୁ ସର୍ବଭାରତୀୟ ସ୍ତରକୁ ନେବାକୁ ଚାହୁଁଛନ୍ତି । ସେଥିପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି । ରାଜ୍ୟର ହସ୍ତତନ୍ତ ବାହାର ରାଜ୍ୟରେ ପହଞ୍ଚି ପାରିଲେ ବୁଣାକାରମାନଙ୍କୁ କାମ ମିଳିବା ସହିତ ଅର୍ଥନୀତିର ବିକାଶ ହୋଇପାରିବ ବୋଲି ରାଜ୍ୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତକଳା ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.