fbpx

ଦୁଇଜଣ ପୂର୍ବତନ IAS ଓ ଦୁଇଜଣ ପୂର୍ବତନ OAS ଅଧିକାରୀ କଂଗ୍ରେସରେ ଯୋଗଦେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ରାଜ୍ୟ ବିଧାନସଭା ନିର୍ବାଚନ । ଏନେଇ ରାଜ୍ୟ ରାଜନୀତି ଏବେଠାରୁ ଚଳଚଞ୍ଚଳ ହୋଇ ଉଠିଛି । କଳେବଳେ କୌଶଳେ କିପରି ଭୋଟରଙ୍କ ନିକଟତର ହୋଇପାରିବେ, ଅଧିକ ଭୋଟ ହାତେଇ ପାରିବେ, କ୍ଷମତା ହାତେଇ ପାରିବେ ସେନେଇ ଏବେ ରାଜନେତାଙ୍କର ଚିନ୍ତା ବଢ଼ିଯାଇଛି । ତେବେ ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏବେ ତତ୍ପର ହୋଇ ଉଠିଛନ୍ତି ।

ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ କ୍ଷମତାସୀନ କରାଇବା ଲକ୍ଷ୍ୟନେଇ ରଣନୀତି ଆରମ୍ଭ କରିଦେଇଛି ଶାସକ ବିଜେଡି । ସେହିପରି ୨୦୧୯ର ଫର୍ମୂଲା ଆପ୍ଲାଏ କରି ଏଥର ଅଧିକ ସିଟ୍ ଅକ୍ତିଆର କରିବା ସହିତ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଛି ବିଜେପି । କଂଗ୍ରେସ ମଧ୍ୟ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ ପାଇଁ ରଣନୀତି ପ୍ରସ୍ତୁତ କରୁଛି । ତିନି ରାଜନୈତିକ ଦଳମାନେ ନିଜ ସଂଗଠନକୁ ମଜବୁତ କରିବା ଲକ୍ଷ୍ୟରେ ନୂଆ ନୂଆ ନେତାଙ୍କୁ ନିଯୁକ୍ତି ଦେଉଛନ୍ତି ।

ତେବେ ଏହା ମଧ୍ୟରେ ରାଜ୍ୟ କଂଗ୍ରେସରେ ୪ ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ପୂର୍ବତନ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ରହିଥିବା ବେଳେ ଦୁଇଜଣ ପୂର୍ବତନ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ରହିଛନ୍ତି । ସେମାନେ ହେଉଛନ୍ତି ପୂର୍ବତନ ଆଇଏଏସ ଅଧିକାରୀ ପଞ୍ଚାନନ ଦାସ ଓ ବିଶ୍ୱନାଥ ଆଚାର୍ଯ୍ୟ, ପୂର୍ବତନ ଓଏଏସ ଅଧିକାରୀ ରବିନ୍ଦ୍ର ନାଥ ମିଶ୍ର ଓ ଉଦ୍ଧବ କର । ଏହି ମିଶ୍ରଣ ଅବସରରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଚେଲା କୁମାର ଓ ଶରତ ପଟ୍ଟନାୟକଙ୍କ ସହିତ ରାଜ୍ୟ କଂଗ୍ରେସର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.