fbpx

କେନ୍ଦ୍ର ସରକାରଙ୍କର ଋଣ: ୨୦୧୪ରେ ୫୮ ଲକ୍ଷ କୋଟି, ୨୦୨୩ରେ ୧୫୫ ଲକ୍ଷ କୋଟି, ଓଡ଼ିଶାର କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର କ୍ଷମତାକୁ ଆସିଥିଲା । ଏହାପରେ ୨୦୧୯ରେ ପୁନର୍ବାର ବିଜେପି କେନ୍ଦ୍ରରେ ସରକାର ଗଠନ କରିଥିଲା । ତେବେ ଗତ ୯ ବର୍ଷର ସଫଳତାର ରିପୋର୍ଟ ବିଜେପି ସରକାର ପ୍ରଦାନ କରିଛି । ଏହି ଅବଧି ମଧ୍ୟରେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କର କେତେ ଋଣ ରହିଥିଲା ତାହା ଦେଶବାସୀ ଜାଣିବା ନିହାତି ଆବଶ୍ୟକ ।

କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ଋଣକୁ ନେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧରୀ ସଂସଦରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ଗତ ୨୦୧୪ ମସିହା ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କର ଋଣ ଜିଡିପିର ୫୨.୨ ପ୍ରତିଶତ ଅର୍ଥାତ ୫୮.୬ ଲକ୍ଷ କୋଟି ଟଙ୍କା ରହିଥିଲା । ସେହିପରି ୨୦୨୩ ମସିହା ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ଋଣ ଜିଡିପିର ୫୭.୧ ପ୍ରତିଶତ ଅର୍ଥାତ ୧୫୫.୬ ଲକ୍ଷ କୋଟି ରହିଥିଲା ।

ସେହିପରି ୨୦୧୯ରୁ ୨୦୨୩ ମସିହା ମାର୍ଚ୍ଚ ମାସ ଶେଷ ସୁଦ୍ଧା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଋଣ ତଥ୍ୟ ଲୋକସଭାରେ ପ୍ରଦାନ କରାଯାଇଛି । ୨୦୧୯ରେ ଓଡ଼ିଶାର ଋଣ ୧,୦୫,୬୮୫ କୋଟି ରହିଥିବା ବେଳେ ୨୦୨୦ରେ ୧,୪୩,୮୦୦, ୨୦୨୧ରେ ୧,୪୧,୨୪୦, ୨୦୨୨ରେ ୧,୨୯,୩୫୬ କୋଟି ଓ ୨୦୨୩ରେ ୧,୧୩,୮୫୬ କୋଟି ରହିଛି । ମୋଟ ୨୯ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ ଓ ପୁଡୁଚେରୀର ଋଣ ତଥ୍ୟ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.