fbpx

ସାବତ ମା ମାଡରେ ଚାଲିଗଲା ପୁଅର ଜୀବନ, ଲୁହା ରଡରେ ପିଟି ହତ୍ୟା

ଝାଡ଼ଖଣ୍ଡ: କଥାରେ ଅଛି ମାଆ ନାହିଁ ଯାହାର ସାହା ନାହିଁ ତାହାର । ପିଲା ଉପରକୁ ଯେତେ ବି ବିପଦ ଆସୁନା କାହିଁକି ମାଆ ସବୁ ବିପଦରୁ ଛୁଆମାନଙ୍କୁ ରକ୍ଷା କରିଥାଏ । ଏମିତି ନିଜ ଛୁଆକୁ ରକ୍ଷା କରିବା ପାଇଁ ମାଆ ମରଣର ସାମ୍ନା କରିବାକୁ ପଛଘୁଞ୍ଚା ଦିଏ ନାହିଁ । ମାଆ ଭଳି ଏକ ପବିତ୍ର ଶବ୍ଦକୁ ଅପମାନିତ କରିବାର ଏକ ମାମଲା ସାମ୍ନାକୁ ଆସିଛି । ମାଆ ହାତରେ ଚାଲିଯାଇଛି ପୁଅର ଜୀବନ । ଜଣେ ସାବତ ମାଆ ତାର ୧୨ବର୍ଷର ପୁଅକୁ ଲୁହା ରଡରେ ପିଟି ହତ୍ୟା କରିଛି ।

ସୂଚନା ଅନୁସାରେ, ଝାଡଖଣ୍ଡ ପଲାମୁ ଜିଲ୍ଲାର ମନହୋ ଗାଁର ବାସିନ୍ଦା ଲାଲମୋହନ ଯାଦବ ଦୁଇଟି ବିବାହ କରିଥିଲେ । ତାଙ୍କର ପ୍ରଥମ ପତ୍ନିଙ୍କ ଠାରୁ ୨ଟି ପୁଅ ଥିବାବେଳେ ଦ୍ୱିତୀୟ ପତ୍ନୀ କାଜଲ ଦେବୀଙ୍କ ଠାରୁ ୨ଟି ଝିଅ ଅଛନ୍ତି । କାଜଲ ଦେବୀ ତାଙ୍କ ସ୍ୱାମୀଙ୍କ ପ୍ରଥମ ପତ୍ନୀଙ୍କ ଠାରୁ ଥିବା ଦୁଇ ସାବତ ପୁଅକୁ ପସନ୍ଦ କରୁନଥିଲେ । କିଛି ନା କିଛି ବାହାନା କରି ସେମାନଙ୍କୁ ସବୁବେଳେ ନିର୍ଯାତନା ଦେବା ସହ ଅନେକ ସମୟରେ ମାଡ ମଧ୍ୟ ମାରୁଥିଲେ ।

ତେବେ ସୋମବାର ଦିନ ରାତିରେ ସାବତ ମାଆ କାଜଲ ଦେବୀଙ୍କ ସହ ୧୨ ବର୍ଷର ସାବତ ପୁଅ ବିବେକ କୁମାରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ହୋଇଥିଲା । ଏହି ବିବାଦରେ ରାଗିଯାଇ ସାବତ ମା ଏକ ବଡ ପଦକ୍ଷେପ ନେଇଥିଲା । ସାବତ ପୁଅ ବିବେକକୁ କାମର ବାହାନା କରି ପାଖକୁ ଡାକିଥିଲା । ଏହା ପରେ ଘରେ ଥିବା ଏକ ଲୁହା ରଡରେ ବିବେକର ମୁଣ୍ଡକୁ ଶକ୍ତ ଆଘାତ କରି ହତ୍ୟା କରିଥିଲା । କେବଳ ଏତିକି ନୁହେଁ ବରଂ ୧୨ ବର୍ଷର ନିରୀହ ଶିଶୁକୁ ହତ୍ୟା କରିବା ପରେ ପିଶାଚି ସାବତ ମା ପ୍ରମାଣ ଲିଭାଇବା ଉଦ୍ଦେଶ୍ୟରେ ଶବକୁ ନେଇ ଘର ପଛପଟେ ଥିବା ଏକ ଗାତରେ ଫିଙ୍ଗି ଦେଇଥିଲା । ତେବେ ମୃତ ବିବେକର ସାନ ଭାଇ ପୁରା ହତ୍ୟାକାଣ୍ଡ ଦେଖିଥିଲା ଏବଂ ସେ ଗାଁ ଲୋକଙ୍କୁ ହତ୍ୟା ବିଷୟରେ ସୂଚନା ହେଇଥିଲା ।

ଏହି ହତ୍ୟାକାଣ୍ଡ ସମ୍ପର୍କରେ ଜାଣିବା ପରେ ମନହୋ ଗାଁର ଲୋକମାନେ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ । ଛତ୍ରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୧୨ ବର୍ଷର ଶିଶୁର ମୃତ ଦେହକୁ ଗାତରୁ ବାହାର କରିବା ସହ ହତ୍ୟା ଅଭିଯୋଗରେ ସାବତ ମା କାଜଲ ଦେବୀଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.