fbpx

IND vs WI ଦ୍ୱିତୀୟ ଦିନିକିଆରେ ହେବ କି ‘ସୂର୍ଯ୍ୟ’ ଅସ୍ତ? ଦଳରେ ୨ଟି ପରିବର୍ତ୍ତନ କରିପାରନ୍ତି ରୋହିତ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଆଜି ଦ୍ୱିତୀୟ ଦିନିକିଆରେ ମୁହାଁମୁହିଁ ହେବେ ଉଭୟ ଦଳ । ଏହି ମ୍ୟାଚରେ ବିଜୟ ହାସଲ କରି ସିରିଜ କବଜା କରିବାକୁ ଚେଷ୍ଟା କରିବ ରୋହିତ ସେନା । ପ୍ରଥମ ମ୍ୟାଚରେ ବୃହତ ବିଜୟ ପରେ ରୋହିତ ଶର୍ମା ବଡ଼ ନିଷ୍ପତ୍ତି ନେଇପାରନ୍ତି । ଦ୍ୱିତୀୟ ଦିନିକିଆ ପାଇଁ ପ୍ଲେଇଙ୍ଗ-୧୧ରେ କିଛି ପରିବର୍ତ୍ତନ ହେବା ନେଇ ଅନୁମାନ କରାଯାଉଛି । ତେବେ ଆଜିର ମ୍ୟାଚରେ କେଉଁ ଖେଳାଳିଙ୍କୁ ଦଳରୁ ବାଦ୍ ଦିଆଯିବ, ସେ ନେଇ ଚର୍ଚ୍ଚା ଜୋର ଧରିଛି ।

ପ୍ରଥମ ମ୍ୟାଚରେ ରୋହିତ ଶର୍ମା ନିଜ ସ୍ଥାନରେ ଇଶାନ କିଶାନ ଏବଂ ଶୁଭମନ ଗିଲଙ୍କୁ ସୁଯୋଗ ଦେଇଥିଲେ । ତେବେ ଛୋଟ ଟାର୍ଗେଟର ପିଛା କରୁଥିବା ବେଳେ ନିଜ ପୂର୍ବରୁ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିଲେ ଅଧିନାୟକ ରୋହିତ ଏବଂ ବିରାଟ । ତେବେ ଦ୍ୱିତୀୟ ଦିନିକିଆରେ ଏହି ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ କରାଯାଇପାରେ । ଆଜିର ମ୍ୟାଚରେ ରୋହିତ ପୁଣିଥରେ ନିଜ ଓପନିଙ୍ଗ ପୋଜିସନରେ ଶୁଭମନ ଗିଲଙ୍କ ସହିତ ପାଳି ଆରମ୍ଭ କରିପାରନ୍ତି । ସେହିପରି ତିନି ନମ୍ବରରେ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଖେଳିବା ଏକ ପ୍ରକାର ନିଶ୍ଚିତ । ତେବେ ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ ଚତୁର୍ଥ କିମ୍ବା ପଞ୍ଚମ ସ୍ଥାନରେ ଖେଳିପାରନ୍ତି । କିନ୍ତୁ ଏହି ମ୍ୟାଚରେ ନିଜ ସ୍ଥାନ ହରାଇପାରନ୍ତି ଟି-୨୦ର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ । ପ୍ରଥମ ମ୍ୟାଚରେ ପୁଣିଥରେ ଫେଲ ମାରିବା ପରେ ସୂର୍ଯ୍ୟକୁମାରଙ୍କୁ ଦଳରୁ ବାଦ୍ ଦିଆଯାଇପାରେ ବୋଲି କୁହାଯାଉଛି । ସୂର୍ଯ୍ୟଙ୍କ ସ୍ଥାନରେ ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ଦଳରେ ସୁଯୋଗ ମିଳିପାରେ ବୋଲି ଖୁବ ଆଲୋଚନା ହେଉଛି ।

ସେହିପରି ରୋହିତ ଦ୍ୱିତୀୟ ମ୍ୟାଚରେ ୩ ଜଣ ସ୍ପିନରଙ୍କୁ ସ୍ଥାନ ଦେଇପାରନ୍ତି ଅଧିନାୟକ ରୋହିତ । ପ୍ରଥମ ମ୍ୟାଚରେ ମୁକେଶ କୁମାର ଏବଂ ଉମ୍ରାନ ମଲିକ ଦଳର ପେସ୍ ଆଟାକ ସମ୍ଭାଳିଥିଲେ । ତାଙ୍କ ସହିତ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶାର୍ଦ୍ଦୁଳ ଠାକୁର ମଧ୍ୟ ଦମଦାର ବୋଲିଂ କରିଥିଲେ । ତେବେ ଦ୍ୱିତୀୟ ଦିନିକିଆରେ ଭାରତ ୩ ଜଣ ସ୍ପିନରଙ୍କ ସହ ମିଦାନକୁ ଓହ୍ଲାଇପାରନ୍ତି ବୋଲି ଆଶା କରାଯାଉଛି । ପ୍ରଥମ ଦିନିକିଆରେ ରବିନ୍ଦ୍ର ଜାଡେଜା ଏବଂ କୁଳଦୀପ ଯାଦବଙ୍କ ଫିରକିରେ ୱେଷ୍ଟଇଣ୍ଡିଜ ଦଳ ଧ୍ୱସ୍ତ ହୋଇଯାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଉଭୟଙ୍କୁ ଆଉ ଏକ ସାଥୀ ସାମିଲ କରିପାରନ୍ତି ଅଧିନାୟକ । ତେବେ ତୃତୀୟ ସ୍ପିନର ଭାବରେ ଅକ୍ସର ପଟେଲ କିମ୍ବା ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସ୍ଥାନ ମିଳିପାରେ । ଏଥିପାଇଁ ଶାର୍ଦ୍ଦୁ ଠାକୁରଙ୍କୁ ବାଦ୍ ଦେଇପାରନ୍ତି ରୋହିତ ଶର୍ମା ।

ଭାରତର ପ୍ଲେଇଙ୍ଗ୧୧: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ/ସଞ୍ଜୁ ସାମସନ, ଇଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର/ଅକ୍ସର ପଟେଲ/ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ମୁକେଶ କୁମାର, ଉମ୍ରାନ ମଲିକ

Get real time updates directly on you device, subscribe now.