fbpx

ରାଜ୍ୟର ନିବେଶକଙ୍କୁ ଫେରସ୍ତ କରାଯିବ ଅର୍ଥ: କାହାର କେତେ ଟଙ୍କା ଅଟକିଛି, କେନ୍ଦ୍ର ସରକାରଙ୍କୁ ତାଲିକା ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାହାରା ଗ୍ରୁପରେ ନିବେଶ କରିଥିବା ରାଜ୍ୟର ସମସ୍ତ ନିବେଶକଙ୍କୁ ଫେରସ୍ତ କରାଯିବ ସେମାନଙ୍କର ନିବେଶ ଅର୍ଥ । ଏନେଇ ରାଜ୍ୟ ସମବାୟ ବିଭାଗ ପକ୍ଷରୁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଛି । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ସାହାରା ଗ୍ରୁପ ସମବାୟ ସମିତି ଅଧିନରେ ନିବେଶକମାନେ ଟଙ୍କା ନିବେଶ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ସାହାରା କମ୍ପାନୀ ଦେବାଳିଆ ହେବା ପରେ ନିବେଶକଙ୍କ ପୁଞ୍ଜି ଅଟକି ରହିଥିଲା ।

ଏହି ମାମଲା ଦୀର୍ଘବର୍ଷ ଧରି ସୁପ୍ରିମକୋର୍ଟରେ ବିଚାରାଧୀନ ରହିଥିବା ବେଳେ କମ୍ପାନୀର ମାଲିକ ସୁବ୍ରତ ରାୟଙ୍କୁ ଜେଲ ଯିବାକୁ ପଡ଼ିଥିଲା । ତେବେ ନିକଟରେ କେନ୍ଦ୍ର ସରକାର ନିବେଶକଙ୍କୁ ଟଙ୍କା ଫେରସ୍ତ ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । ରାଜ୍ୟରେ ୪,୬୦୦ କୋଟି ଟଙ୍କାର ନିବେଶ କରାଯାଇଥିବା ସମବାୟ ବିଭାଗ ପକ୍ଷରୁ କୁହାଯାଇଛି । ନିବେଶକଙ୍କୁ କିଭଳି ଅର୍ଥ ଫେରସ୍ତ କରାଯିବା ସେନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସମବାୟ ବିଭାଗ ପ୍ରତି ଜିଲ୍ଲାର ତାଲିକା ପ୍ରସ୍ତୁତ କରିଥିଲା । କେଉଁ ଜିଲ୍ଲାରେ, କେଉଁ ନିବେଶକଙ୍କର କେତେ ଟଙ୍କା ରହିଛି ତା’ର ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ସମବାୟ ନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ତାଲିକାକୁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ହସ୍ତାନ୍ତର କରାଯାଇଛି । ଉକ୍ତ ତାଲିକା ଯାଞ୍ଚ କରି ରାଜ୍ୟ ସମବାୟ ବିଭାଗକୁ ସୂଚନା ମିଳିବା ପରେ ନିବେଶକଙ୍କୁ ଅର୍ଥ ଫେରସ୍ତ କରାଯିବ ।

ତେବେ ନିବେଶକଙ୍କର ଯେତେ ଜମା ରାଶି ରହିଥିଲେ ହେଁ ସେମାନଙ୍କୁ ପ୍ରଥମେ କେବଳ ୧୦ ହଜାର ଟଙ୍କା ପରୀକ୍ଷାମୂଳକ ଭାବେ ଦିଆଯିବ । ଏହି ପରୀକ୍ଷା ସଫଳ ହେଲେ ଅବଶିଷ୍ଟ ଅର୍ଥ ସୁଧ ସହିତ ଫେରସ୍ତ କରାଯିବ । ପୋର୍ଟାଲ ମାଧ୍ୟମରେ ୧୦ କୋଟି ଲୋକଙ୍କୁ ଅର୍ଥ ଫେରସ୍ତ କରାଯିବ । ଅର୍ଥ ଫେରସ୍ତ ପାଇଁ କ୍ଲେମ କରିବାକୁ ହେଲେ ମୋବାଇଲ ନମ୍ବର ସହିତ ଆଧାର ନମ୍ବର ଲିଙ୍କ ହୋଇଥିବା ଜରୁରୀ । ନିବେଶକଙ୍କୁ ଅର୍ଥ ଫେରସ୍ତ ପାଇଁ କେନ୍ଦ୍ର ସରକାର ‘ସାହାରା ରିଫଣ୍ଡ ଫୋର୍ଟାଲ’ ଲଞ୍ଚ କରିଥିଲେ ।

Get real time updates directly on you device, subscribe now.