fbpx

ICC ରିଲିଜ୍ କଲା ଦିନିକିଆ ବିଶ୍ୱକପ ପୋଷ୍ଟର: ଫ୍ୟାନ୍ସ କିନ୍ତୁ ଦୁଃଖିତ, କାହିଁକି

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଦିନିକିଆ ବିଶ୍ୱକପ ୨୦୨୩ ଭାରତରେ ଖେଳାଯିବ । ଏନେଇ ଅର୍ନ୍ତଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଏହି ମେଗା ଇଭେଣ୍ଟ ପାଇଁ ପୋଷ୍ଟର ଜାରି କରାଯାଇଛି । ଏହି ପୋଷ୍ଟରରେ ଟ୍ରଫିର ଦୁଇ କଡ଼ରେ ବିଶ୍ୱକପରେ ଭାଗ ନେବାକୁ ଥିବା ସମସ୍ତ ଟିମର ଅଧିନାୟକମାନେ ଘେରି ରହିଛନ୍ତି । ତେବେ ବିଶ୍ୱକପ ପାଇଁ ପୋଷ୍ଟର ରିଲିଜ କରାଯାଇଥିଲେ ହେଁ ଫ୍ୟାନ୍ସ ଖୁସି ନାହାନ୍ତି ।

ଆଇସିସି ପକ୍ଷରୁ ଜାରି କରାଯାଇଥିବା ପୋଷ୍ଟରକୁ ନେଇ କ୍ରୀଡ଼ାପ୍ରେମୀମାନେ ସୋସିଆଲ ମିଡ଼ିଆରେ ସେମାନଙ୍କର ପ୍ରତିକ୍ରିୟା ଜାହିର କରିଛନ୍ତି । ‘ବିଶ୍ୱକପ ପୋଷ୍ଟର ପାଇଁ କୌଣସି ଶବ୍ଦ ନାହିଁ’ ବୋଲି ଜଣେ ମନ୍ତବ୍ୟ ଦେଇଛନ୍ତି । ଆଉ ଜଣେ ଏହି ଚିତ୍ରକୁ ନେଇ ‘ଲଭିଂ ଦି ସୁପର ବ୍ୟାଡ ଆର୍ଟ’ ବୋଲି ପରିହାସ କରିଛନ୍ତି । ସେହିପରି ‘ୱାରା ଡାଉନଗ୍ରେଡ’ ବୋଲି ଆଉ ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି ।

ଏହି ପୋଷ୍ଟରରେ ଅଷ୍ଟ୍ରେଲିଆ ଅଧିନାୟକ ପାଟ କମିନ୍ସ ଓ ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟ୍ରଫିର ନିକଟରେ ରହିଛନ୍ତି । ପାଞ୍ଚ ଥରର ଦିନିକିଆ ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆ ଏଥର ପୁଣି ଥରେ ବିଜୟ ନେଇ ଆଶାବାଦୀ ରହିଥିବା ବେଳେ ଇଂଲଣ୍ଡ ତା’ର ଚାମ୍ପିୟନ ଆଖ୍ୟାକୁ ବଳବତ୍ତର ରଖିବାକୁ ପ୍ରୟାସ କରିବ । । ଭାରତ ଶେଷ ଥର ପାଇଁ ୨୦୧୧ରେ ବିଶ୍ୱ ବିଜୟୀ ହୋଇଥିଲା । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୨୦୧୫ରେ ଓ ଇଂଲଣ୍ଡ ୨୦୧୯ରେ ଘରୋଇ ମାଟିରେ ଆୟୋଜିତ ଏହି ମେଗା ଇଭେଣ୍ଟରେ ବିଶ୍ୱ ବିଜୟୀ ହୋଇଥିଲା ।

ବଟଲରଙ୍କ ବାମପଟେ ଭାରତର ଅଧିନାୟକ ରୋହିତ ଶର୍ମା, ଆଫଗାନିସ୍ତାନ ଅଧିନାୟକ ହଶମସୁଲ୍ଲାହ ଶାହିଦୀ, ଶ୍ରୀଲଙ୍କା ଅଧିନାୟକ ଦାସୁନ ଶନାକା ଓ ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥମ ସ୍ଥାନ ପାଇଛନ୍ତି । ସେହିପରି କମିନ୍ସଙ୍କ ଡାହାଣ ପଟେ ପାକିସ୍ତାନ ଅଧିନାୟକ ବାବର ଆଜମ, ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା, ବାଂଲାଦେଶ ଅଧିନାୟକ ତମିମ ଇକବାଲ ଓ ଜିମ୍ବାୱେ ଅଧିନାୟକ କ୍ରେଗ ଇରଭାଇନ ଦୃଶ୍ୟମାନ ହେଉଛନ୍ତି ।

Get real time updates directly on you device, subscribe now.