fbpx

ଦଳୀୟ ସାଂସଦଙ୍କୁ ହୁଇପ୍: ଅନାସ୍ଥାକୁ ବିରୋଧ, ଦିଲ୍ଲୀ ସର୍ଭିସ ବିଲ୍କୁ ସମର୍ଥନ ଦେବ ବିଜେଡି

ନୂଆଦିଲ୍ଲୀ/ଭୁବନେଶ୍ୱର: ମଣିପୁର ହିଂସାକୁ ନେଇ ବିରୋଧୀ ସଂସଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବ । ସେହିପରି ଏନଡିଏ ସରକାର ଆଣିଥିବା ବହୁ ଚର୍ଚ୍ଚିତ ଦିଲ୍ଲୀ ଅଧ୍ୟାଦେଶ (ଦିଲ୍ଲୀ ସର୍ଭିସ ବିଲ୍) କୁ ବିଜେଡି ସମର୍ଥନ କରିବ ବୋଲି ଘୋଷଣା କରିଛି । ଏପରିକି ଏହି ଉଭୟ ବିଲ ଓ ପ୍ରସ୍ତାବ ଆଲୋଚନା ବେଳେ ସଂସଦରେ ବିଜେଡି ସାଂସଦମାନଙ୍କୁ ଉପସ୍ଥିତ ରହିବା ପାଇଁ ବିଜେଡି ପକ୍ଷରୁ ୩ ଧାଡିଆ ହୁଇପ୍ ଜାରି କରାଯାଇଛି ।

ବିଜେଡି ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ଏନେଇ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକସଭାରେ ଆଗତ ହୋଇଥିବା ଦିଲ୍ଲୀ ସର୍ଭିସ ବିଲ୍କୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡି ସମର୍ଥନ ଯୋଗାଇବ । ଏହାସହିତ କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ମଧ୍ୟ ବିଜେଡି ବିରୋଧ କରିବ । ବିଜେଡିର ଏହି ସମର୍ଥନ ଘୋଷଣା ପରେ ବିଜେପି ନେତୃତ୍ୱାଧିନ ଏନଡିଏ ଏବେ ସୁଦୃଢ଼ ସ୍ଥିତିରେ ପହଞ୍ଚିଛି। ରାଜ୍ୟସଭାରେ ବିଜେଡିର ୯ଜଣ ସାଂସଦ ଥିବାରୁ ଏନଡିଏ ସରକାର ପାଇଁ ବିଜେଡି ସମର୍ଥନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା।

ଅତି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କରିଥିଲେ। କେନ୍ଦ୍ର ସରକାର ବିରୋଧରେ ବିରୋଧୀଙ୍କ ଦ୍ବାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ ତଥା ଦିଲ୍ଲୀ ଅଧ୍ୟାଦେଶ ବିଲ୍‌କୁ ସମର୍ଥନ କରିବା ପାଇଁ ସେ ବିଜେଡିର ସମର୍ଥନ ଲୋଡ଼ିଥିଲେ। ତଦନୁସାରେ, ବିଜେଡି ପକ୍ଷରୁ ସରକାରଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ସକାଳେ ସଂସଦ ଭବନରେ ଥିବା ବିଜୁ ଜନତା ଦଳର କାର୍ଯ୍ୟାଳୟରେ ବିଜେଡିର ଲୋକସଭା ଓ ରାଜ୍ୟସଭା ନେତାଙ୍କ ସମେତ ଅଧିକାଂଶ ସାଂସଦମାନେ ଯୋଗ ଦେଇଥିଲେ।

ସୂତ୍ର ଅନୁସାରେ ବୈଠକରେ ଦିଲ୍ଲୀ ଜାତୀୟ ରାଜଧାନୀ ଅଂଚଳ ସରକାର (ସଂଶୋଧନ) ବିଲ୍‌-୨୦୨୩କୁ ସମର୍ଥନ କରିବା ସଂପର୍କରେ ଅବଗତ କରିଦିଆଯାଇଥିବା ବେଳେ ଅନାସ୍ଥା ପ୍ରସ୍ତାବ ସଂପର୍କରେ କିଛି ସମୟ ପରେ ଜଣାଇଦିଆଯିବ ବୋଲି ସାଂସଦମାନଙ୍କୁ କୁହାଯାଇଥିଲା। ଏହାର କିଛି ସମୟ ପରେ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ସଂପର୍କରେ ଘୋଷଣା କରାଯାଇଥିଲା। ଉଭୟ ପ୍ରସଙ୍ଗ ପାଇଁ ଲୋକସଭା ଓ ରାଜ୍ୟସଭାରେ ବିଜେଡିର ସମସ୍ତ ସାଂସଦମାନଙ୍କୁ ଉପସ୍ଥିତ ରହିବା ପାଇଁ ଦଳ ପକ୍ଷରୁ ତିନି ଧାଡ଼ିଆ ହ୍ବିପ୍‌ ଜାରି କରାଯାଇଛି ବୋଲି ବିଜେଡିର ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ନେତା ଡ.ସସ୍ମିତ ପାତ୍ର ସୂଚନା ଦେଇଥିଲେ।

Get real time updates directly on you device, subscribe now.