fbpx

ସ୍କୁଲରେ ପଢ଼ାଯିବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ କୀ ବାତ’ର ପ୍ରେରଣାଦାୟକ କାହାଣୀ

ନୂଆଦିଲ୍ଲୀ: ଛୋଟ ଛୋଟ ପିଲାମାନଙ୍କୁ ପ୍ରେରିତ କରିବା ଲକ୍ଷ୍ୟରେ ସ୍କୁଲରେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କୀ ବାତ’ କାର୍ଯ୍ୟକ୍ରମର କାହାଣୀ ପଢ଼ାଯିବ । ବିକଳାଙ୍ଗତା, ଗରିବୀ, ନିରାଶାକୁ ଦୂର କରିବା ସହ ସମାଜର ହିତ ସାଧନ ପାଇଁ ‘ମନ କୀ ବାତ’ରେ ରହିଥିବା କାହାଣୀ ଅନେକ ଯୋଗଦାନ ଦେଇଛି । କେନ୍ଦ୍ର ଶାସିତ ପ୍ରଦେଶର ଜମ୍ମୁ କଶ୍ମୀର ବୋର୍ଡ ଅଫ୍ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏହି କାହାଣୀକୁ କମିକ ବୁକ ମାଧ୍ୟମରେ ପଢ଼ାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ତେବେ ‘ମନ କୀ ବାତ’ରୁ ଚୟନ କରାଯାଇଥିବା କାହାଣୀଗୁଡ଼ିକୁ କମିକ ବୁକରେ ୧୨ଟି ଭାଗ ରଖିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ସାଂସ୍କୃତିକ ମନ୍ତ୍ରଣାଳୟ ପକ୍ଷରୁ ‘ଅମର ଚିତ୍ରକଥା’ର ସହଯୋଗରେ ଏ ନେଇ ପଦକ୍ଷେପ ନିଆଯାଇଥିବା ଜମ୍ମୁ କଶ୍ମୀର ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି । ‘ମନ କୀ ବାତ’ର ୧୦୦ତମ ଏପିସୋଡ ପୂର୍ଣ୍ଣ ହେବାର ପୂର୍ବ ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମର ପ୍ରଥମ ପୁସ୍ତକ ପ୍ରକାଶିତ ହୋଇଥିଲା । ସେହି ପୁସ୍ତକର ଡିଜିଟାଲ କପି ଅମୃତ ମହୋତ୍ସବ ପୋର୍ଟାଲରେ ୧୩ଟି ଭାଷାରେ ଉପଲବ୍ଧ ରହିଛି । ସେଠାରୁ ଉକ୍ତ କପିକୁ ଡାଉନଲୋଡ୍ କରିହେବ ।

ବିକଳାଙ୍ଗତା, ଗରିବୀ, ନିରାଶା ଉପରେ କାବୁ ପାଇବା ସହ ସମାଜର ଲାଭ ପାଇଁ ଯେଉଁ ବ୍ୟକ୍ତି ଓ ସଂଗଠନମାନେ ଯୋଗଦାନ ଦେଇଛନ୍ତି କମିକ ବୁକରେ ସେମାନଙ୍କର ପ୍ରେରଣାଦାୟକ କାହାଣୀସବୁ ସ୍ଥାନିତ ହୋଇଛି । ସ୍କୁଲ ପିଲାମାନେ ଏହି ପୁସ୍ତକୁ ପଢ଼ି ଯେପରି ବହୁତ କିଛି ଶିଖିପାରିବେ ସେହି ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଅଧିକାଂଶ ସ୍କୁଲରେ ଡିଜିଟାଲ କପି ଉପଲବ୍ଧ କରାଯାଇଛି । ଏହିସବୁ ସ୍କୁଲମାନଙ୍କରେ ଟେକ୍ସଟ ଫର୍ମାଟ ପୁସ୍ତକ ଉପଲବ୍ଧ କରାଇବାର ବ୍ୟବସ୍ଥା କରାଯାଉଛି ।

Get real time updates directly on you device, subscribe now.