fbpx

୨୦୨୪ ଲୋକସଭା ନିର୍ବାଚନ ଲଢ଼ିପାରିବେ ରାହୁଲ? ସଂସଦକୁ ଫେରି ପାରିବେ କି ନା, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏବେ କ’ଣ ହେବ

ନୂଆଦିଲ୍ଲୀ: ମୋଦୀ ସରନେମ ମାମଲାରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ରାହୁଲଙ୍କ ଜେଲଦଣ୍ଡାଦେଶ ଉପରେ ସର୍ବୋଚ୍ଚ ଅଦାଲତ ରୋକ ଲାଗୁ କରିଛନ୍ତି । ତେବେ ଏହି ନିଷ୍ପତ୍ତି ପରେ ଏବେ ରାହୁଲ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଲଢ଼ିପାରିବେ କି, ତାଙ୍କର ଲୋକସଭା ସାଂସଦ ପଦ ସେ ପୁନର୍ବାର ଫେରିପାଇବେ କି ଆଦି ପ୍ରଶ୍ନ ସବୁ ସୃଷ୍ଟି ହୋଇଛି । ସୁରତ ସେସନ କୋର୍ଟଙ୍କ ନିଷ୍ପତ୍ତି ପରେ ରାହୁଲଙ୍କୁ ସାଂସଦ ପଦ ଚାଲିଯାଇଥିଲା । ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହିତ ସଜ୍ଜା ଉପରେ ଏବେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି, ଯେ ପର୍ଯ୍ୟନ୍ତ ରାହୁଲଙ୍କ ଯାଚିକା ଉପରେ ଶୁଣାଣି ସରିନାହିଁ ସେପର୍ଯ୍ୟନ୍ତ ତାଙ୍କର ଦୋଷୀ ସାବ୍ୟସ୍ତ ଉପରେ ରୋକ ଲାଗୁ ହେବ । ଏହି ଅବସରରେ ସର୍ବାଧିକ ସଜ୍ଜା ଶୁଣାଯାଇଥିବା ନେଇ କୋର୍ଟ ପ୍ରଶ୍ନ ଉଠାଇଥିଲେ । କୋର୍ଟଙ୍କ ଏହି ନିଷ୍ପତ୍ତି ରାହୁଲ, କଂଗ୍ରେସ ପାର୍ଟି ଓ ବିପକ୍ଷ ଗଠବନ୍ଧନ ଇଣ୍ଡିଆ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ସୁରତର ତଳେ କୋର୍ଟଙ୍କ ଦ୍ୱାରା ୨ ବର୍ଷର ଜେଲଦଣ୍ଡ ଶୁଣାଣିବା ପରେ ରାହୁଲଙ୍କର ସାଂସଦ ପଦ ରଦ୍ଦ ହୋଇଥିଲା । ଲୋକସଭା ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ରାହୁଲଙ୍କ ସଦସ୍ୟତା ସମାପ୍ତ କରି ଦିଆଯାଇଥିଲା ।

ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଏବେ ରାହୁଲଙ୍କ ପାଇଁ ସଂସଦର ଦ୍ୱାର ଖୋଲି ଯାଇଛି । ଏବେ ରାହୁଲ ରାହୁଲଙ୍କ ଲୋକସଭା ସାଂସଦ ପଦ ଫେରିପାଇବା ରାସ୍ତା ପରିଷ୍କାର ହୋଇଯାଇଛି । ରାହୁଲ ସାଂସଦ ପଦ ହରାଇବା ପରେ କେରଳର ୱାୟନାଡ ଉପନିର୍ବାଚନ କରାଯାଇଥିଲେ ସେ ସଦସ୍ୟତା ବୋଧହୁଏ ଫେରି ପାଇନଥାନ୍ତେ ।

ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ରାହୁଲଙ୍କ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବାର ସମ୍ଭାବନାର କଳାବାଦଲକୁ ହଟାଇ ଦେଇଛି । ତଳ କୋର୍ଟ ପ୍ରଦାନ କରିଥିବା ରାୟକୁ ଯଦି ସୁପ୍ରିମକୋର୍ଟ ବଳବତ୍ତର ରଖିଥାନ୍ତେ ତେବେ ରାହୁଲ ୨୦୨୪ରେ ନିର୍ବାଚନ ଲଢ଼ିପାରି ନଥାନ୍ତେ । ଏବେ ରାହୁଲ କେବଳ ସଂସଦକୁ ଫେରିବେ ନାହିଁ, ବରଂ ୨୦୨୪ରେ ନିର୍ବାଚନ ମଧ୍ୟ ଲଢ଼ିପାରିବେ, ସୁପ୍ରିମକୋର୍ଟଙ୍କ ଆଜିର ନିଷ୍ପତ୍ତି ଏହା ହିଁ ସ୍ପଷ୍ଟ କରିଦେଇଛି ।

ସୂଚନାଯୋଗ୍ୟ ଯେ, ୨୦୧୯ ମସିହା ଏପ୍ରିଲ ୩ରେ କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନୀ ସଭାରେ ରାହୁଲ କହିଥିଲେ, ‘ସବୁ ଚାରି ଚୋରଙ୍କ ଉପନାମ ମୋଦୀ କାହିଁକି ରହିଛି?’ ତେଣୁ ଏନେଇ ରାହୁଲଙ୍କ ବିରୋଧରେ ପୂର୍ଣ୍ଣେଶ ଅପରାଧିକ ମାନହାନୀ ମାମଲା ଦାୟର କରିଥିଲେ । ଏହି ମାମଲାରେ ସୁରତର ଏକ କୋର୍ଟ ୨ ବର୍ଷର ଜେଲଦଣ୍ଡ ଶୁଣାଣି କରିଥିଲେ । ଗୁଜରାଟ ହାଇକୋର୍ଟ ଜୁଲାଇ ୭ରେ ରାହୁଲଙ୍କ ଦୋଷୀ ସାବ୍ୟସ୍ତ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ । ଏହାପରେ ରାହୁଲ ସୁପ୍ରିମକୋର୍ଟ ଯାଇଥିଲେ ।

Get real time updates directly on you device, subscribe now.