ଦିଲ୍ଲୀ ବିଜେପିର ପ୍ରଦେଶ ଉପାଧ୍ୟକ୍ଷଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଆଗକୁ ୨୦୨୪ ଲୋକସଭା ନିର୍ବାଚନ ହେବାର ଅଛି । ଏହାକୁ ନେଇ ପ୍ରତ୍ୟେକ ରାଜନୈତିକ ଦଳମାନେ ଏବେଠାରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିବା ସହିତ ନିଜ ନିଜର ସଂଗଠନ ସଜାଡ଼ିବାରେ ଲାଗି ପଡ଼ିଛନ୍ତି । ତେବେ ଏହି କ୍ରମରେ ବିଜେପି ପୁନର୍ବାର ସରକାର ଗଠନ ପାଇଁ ରଣନୀତି ପ୍ରସ୍ତୁତ କରିବା ସହିତ ବିଭିନ୍ନ ରାଜ୍ୟରେ ନୂଆ ମୁଖିଆଙ୍କୁ ଦାୟିତ୍ୱ ଦେଉଛି ।

ତେବେ ଏହା ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରୁ ଆସିଛି ଏକ ବଡ଼ ଖବର । ଦିଲ୍ଲୀ ବିଜେପିର ଜଣେ ନୂଆ ପ୍ରଦେଶ ଉପାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି । କପିଲ ମିଶ୍ରାଙ୍କୁ ଦିଲ୍ଲୀ ବିଜେପିର ପ୍ରଦଶେ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ବିଜେପିର ପ୍ରଦେଶ ଅଧ୍ୟକ୍ଷ ବିରେନ୍ଦ୍ର ସଚଦେବଙ୍କ ନିର୍ଦ୍ଦେଶକ ମୁତାବକ କପିଲଙ୍କୁ ଏହି ବଡ଼ ଦାୟିତ୍ୱ ମିଳିଛି । ଏହି ନିଯୁକ୍ତି ତ୍ୱରିତ ଭାବେ ଲାଗୁ କରାଯିବ । ଏନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ନିକଟରେ ବିରେନ୍ଦ୍ର ଦିଲ୍ଲୀ ବିଜେପିର ନୂଆ ଟିମର ଘୋଷଣା କରିଥିଲେ । ଆଜି କପିଲଙ୍କୁ ଦଳ ଏକ ବଡ଼ ଦାୟିତ୍ୱ ପ୍ରଦାନ କରିଛି । ପୂର୍ବରୁ କପିଲ ଆମ ଆଦମୀ ପାର୍ଟି (ଆପ)ର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମାତ୍ର ୨୦୧୭ରେ ସେ ଭାଜପାରେ ସାମିଲ ହୋଇଥିଲେ । ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ କପିଲ ବିଜେପି ପ୍ରାର୍ଥୀ ମୋହନ ସିଂହ ବିଷ୍ଟଙ୍କୁ ପରାସ୍ତ କରିଥିଲେ । ୨୦୧୯ ଲୋକସଭା ନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟକଳାପ ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା ।