ଜିନିଷ କିଣିବା ପରେ ବିଲ ପ୍ରସ୍ତୁତି ବେଳେ ଦୋକାନୀ ଆପଣଙ୍କୁ ବ୍ୟକ୍ତିଗତ ନମ୍ବର ମାଗିପାରିବନି: ଏନେଇ କ’ଣ ରହିଛି ଆଇନ୍

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ବଡ଼ ବଡ଼ ଶପିଂ ମଲରୁ ଜିଣିଷ କିଣାକିଣି କରିବାକୁ ପସନ୍ଦ କରନ୍ତି । ଏହାପରେ ଆପଣଙ୍କୁ କାଉଣ୍ଟରରେ ବିଲ୍ ପଇଠ କରିବାକୁ ପଡ଼ିଥାଏ । ତେବେ ଏହି ସମୟରେ ବିଲ୍ ପ୍ରସ୍ତୁତ କରିବା ପାଇଁ ଦୋକାନୀମାନେ ଗ୍ରାହକଙ୍କୁ ମୋବାଇଲ ନମ୍ବର ମାଗିଥାନ୍ତି । ଏହାପରେ ଗ୍ରାହକମାନେ ବିନା ସଙ୍କୋଚରେ ଦୋକାନୀଙ୍କୁ ନିଜର ନମ୍ବର ପ୍ରଦାନ କରିଥାନ୍ତି । ତେବେ ଆପଣମାନେ ଜାଣନ୍ତି କି ଏହା ଠିକ୍ ନା ଭୁଲ?

ଆପଣଙ୍କର ନମ୍ବରକୁ ଖରାପ ଭାବେ ବ୍ୟବହାର କରାଯାଇପାରେ । ତେଣୁ ଏଠାରେ ପ୍ରଶ୍ନଉଠେ ଯଦି ଦୋକାନୀ ଆପଣଙ୍କୁ ବିଲ ତିଆରି କରିବା ସମୟରେ ନମ୍ବର ମାଗେ ତେବେ ଆପଣ କ’ଣ କରିବେ? ଏନେଇ କ’ଣ ରହିଛି ଆଇନ? ନିକଟରେ କେନ୍ଦ୍ର ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଥିଲା । ଯଦି ଦୋକାନୀ ଆପଣଙ୍କୁ ନମ୍ବର ଦେବାକୁ ବାଧ୍ୟ କରେ ତେବେ ତାହା ଏକ ବେଆଇନ କାର୍ଯ୍ୟ । ଜିନିଷ କିଣାକିଣି ହେଉ କି ଏକ୍ସଚେଞ୍ଜ ହେଉ ଦୋକାନୀ ଆପଣଙ୍କୁ ନମ୍ବର ମାଗି ପାରିବନି ।

ସାଧାରଣ ଭାବରେ କହିଲେ ଯଦି ଦୋକାନୀ ଆପଣଙ୍କୁ ବ୍ୟକ୍ତିଗତ ନମ୍ବର ମାଗେ, ତେବେ ତାହାକୁ ଅପରାଧ ଶ୍ରେଣୀରେ ଗ୍ରହଣ କରାଯିବ । ଏପରି ସ୍ଥଳେ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆପଣଙ୍କ ସହ ଏପରି ହେଲେ ଆପଣ ଅଭିଯୋଗ କରିପାରିବେ । ଆପଣ ଏଥିପାଇଁ ୧୯୧୫ ବା ଟୋଲ ଫ୍ରି ନମ୍ବର ୮୮୦୦୦୦୧୯୧୫କୁ ଡାଏଲ୍ କରିପାରିବେ । ଆଜିକାଲି ନମ୍ବର ମାଧ୍ୟମରେ ଅନଲାଇନରେ ଠକାମି ହେଉଥିବାରୁ ଅନେକ ସରଳ, ନିରୀହ ଗ୍ରାହକ ଫଶିଯାଇଥାନ୍ତି । ତେଣୁ ଆଜିଠାରୁ ଯଦି କୌଣସି ଦୋକାନୀ ଆପଣଙ୍କୁ ଜିନିଷ କିଣିବା ପରେ ବିଲ ତିଆରି ସମୟରେ ନମ୍ବର ମାଗନ୍ତି ତେବେ ଆପଣ ସଙ୍ଗେସଙ୍ଗେ ଅଭିଯୋଗ କରିପାରିବେ ।