ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କିଛି ସ୍କୁଲରେ ପିଲାମାନଙ୍କର ନାମଲେଖା ସମୟରେ ଆଧାର କାର୍ଡ ଦାବି କରାଯାଇଥିଲା । ନାମଲେଖା ସମୟରେ ଆଧାର କାର୍ଡ ବାଧ୍ୟତାମୂଳକ ବୋଲି କିଛି କିଛି ସ୍କୁଲର ପ୍ରଧାନଶିକ୍ଷକ କହିଥିଲେ । ତେବେ ଏହି ପ୍ରସଙ୍ଗ ଦୃଷ୍ଟିକୁ ଆସିବା ପରେ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।
ଏନେଇ ସବୁ ପ୍ରଧାନଶିକ୍ଷକଙ୍କୁ ଅବଗତ କରାଯିବା ପାଇଁ ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଣିକି ଆଧାର କାର୍ଡ ଥାଉ ବା ନଥାଉ ଛାତ୍ରଛାତ୍ରୀମାନେ ସ୍କୁଲରେ ଆଡମିଶନ କରିପାରିବେ । ନାମଲେଖାଇ ସରିବା ପରେ ଛାତ୍ରଛାତ୍ରୀମାନେ ଆଧାର ଜମା କରିପାରିବେ । ଗଣଶିକ୍ଷା ବିଭାଗର ଏହି ପଦକ୍ଷେପ ଫଳରେ ଏଣିକି ଛାତ୍ରଛାତ୍ରୀମାନେ ନାମଲେଖା କ୍ଷେତ୍ରରେ ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।
ସୂଚନାଯୋଗ୍ୟ ଯେ, ରାଜ୍ୟର ଛାତ୍ରଛାତ୍ରୀର ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା କିଛି ନୂଆ ପଦକ୍ଷେପ ଗ୍ରହଣ କରିଥାନ୍ତି । ସ୍କୁଲର ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱାଧୀନ ଭାବେ ଦାୟିତ୍ୱ ନିର୍ବାହ କରିବା ନେଇ ଗତ ଫେବୃଆରୀ ମାସରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା । ଶିକ୍ଷକମାନେ ସ୍ୱାଧୀନ ଦାୟିତ୍ୱ ନେବା ସହିତ ଶିକ୍ଷାଦାନ ଛଡ଼ା ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ ହେବେ ନାହିଁ ବୋଲି କୁହାଯାଇଥିଲା । ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିଲେ ।