fbpx

ଅଗଷ୍ଟ ୧୨ରେ ହେବ ନାହିଁ ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ: ହାଇକୋର୍ଟ ଲଗାଇଲେ ରୋକ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫଆଇ)ର ନିର୍ବାଚନ ଅଗଷ୍ଟ ୧୨ ତାରିଖରେ ହେବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିଲା । ତେବେ ଆସନ୍ତାକାଲି ହେବାକୁ ଥିବା ଏହି ନିର୍ବାଚନ ହେବ ନାହିଁ । ପଞ୍ଜାବ- ହରିୟାଣା ହାଇକୋର୍ଟ ନିର୍ବାଚନ ଉପରେ ରୋକ ଲଗାଇଛନ୍ତି । ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲକୁ ନେଇ ମାମଲା କୋର୍ଟରେ ପହଞ୍ଚିଥିଲା । ଏବେ କୋର୍ଟ ଉକ୍ତ ରାୟ ଶୁଣାଇଛନ୍ତି ।

କୁସ୍ତି ମହାସଂଘର ଅଧ୍ୟକ୍ଷ ପଦ ପାଇଁ ୪ ଜଣ ପ୍ରାର୍ଥୀ, ବରିଷ୍ଠ ଉପାଧ୍ୟକ୍ଷ ପଦ ପାଇଁ ୩ ଜଣ ପ୍ରାର୍ଥୀ, ଉପାଧ୍ୟକ୍ଷ ପଦ ପାଇଁ ୬ ଜଣ ପ୍ରାର୍ଥୀ, ମହାସଚିବ ପଦ ପାଇଁ ୩ ଜଣ ପ୍ରାର୍ଥୀ, କୋଷାଧ୍ୟକ୍ଷ ପଦ ପାଇଁ ଦୁଇଜଣ ପ୍ରାର୍ଥୀ, ଯୁଗ୍ମ ସଚିବ ଓ ୯ ଜଣ ପ୍ରାର୍ଥୀ କାର୍ଯ୍ୟକାରୀ ସଦସ୍ୟ ପାଇଁ ମୈଦାନକୁ ଓହ୍ଲାଇଥିଲେ । ୧୫ଟି ପଦ ପାଇଁ ମୋଟ ୩୦ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅଧ୍ୟକ୍ଷ ପଦ ପାଇଁ ଜଣେ ମହିଳା ଆବେଦନ କରିଥିଲେ ।

ଅଧ୍ୟକ୍ଷ ପଦରେ ସଞ୍ଜୟ ସିଂହ ନାମାଙ୍କନ କରିବାକୁ ନେଇ ମାମଲା କୋର୍ଟରେ ପହଞ୍ଚିଥିଲା । ସଞ୍ଜୟଙ୍କୁ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ନିକଟତର ବୋଲି କୁହାଯାଉଛି । ଭୂଷଣଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ । ଭୂଷଣଙ୍କ ସମର୍ଥିତ ପ୍ରାର୍ଥୀଙ୍କ ବିରୋଧରେ ବଜରଙ୍ଗ ପୁନିଆଙ୍କ ସହିତ ବିକ୍ଷୋଭ ପ୍ରଦର୍ଶନ କରୁଥିବା ରେସଲରମାନେ ଆପତ୍ତି ଉଠାଇଥିଲେ । ସେମାନେ ଏନେଇ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟି ଏହି ପ୍ରସଙ୍ଗ ଉଠାଇଥିଲେ ।

Get real time updates directly on you device, subscribe now.