fbpx

(Video) ପାଠ ପଢ଼ୁଥିଲେ ହଠାତ୍ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିଲା ଘଡ଼ଘଡ଼ି: ୨୦ ପିଲା ଆହତ ହୋଇ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଣିଷ ଆଜି ପ୍ରଗତି ପଥରେ ଯେତେ ଆଗେଇଲେ ମଧ୍ୟ ପ୍ରକୃତିର ଶକ୍ତିକୁ ଅଟକାଇବାର ସାମର୍ଥ୍ୟ କାହାର ନାହିଁ । ଅନେକ ସମୟରେ ବନ୍ୟା, ବାତ୍ୟା, ଝଡ଼, ବର୍ଷା ପରି ବହୁ ପ୍ରାକୃତିକ ବିପର୍ଯ୍ୟୟରେ ମଣିଷ ସର୍ବସ୍ୱ ହରାଇଥାଏ । ଏହା ମଧ୍ୟରେ ପ୍ରକୃତି କିଛି ନିରୀହ ପିଲାଙ୍କ ଉପରେ ଦାଉ ସାଜିଛି । ଅଚାନକ ବଜ୍ରପାତ ମାଡ଼ ହେବା ଫଳରେ ବହୁ ସ୍କୁଲ ପିଲା ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି ଏଭଳି ବଡ଼ ଖବର । ବଜ୍ରପାତରେ ୨୦ ଜଣ ସ୍କୁଲ ପିଲା ଆହତ ହୋଇଛନ୍ତି । ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ କୁଦାନଗରୀ ହାଇସ୍କୁଲରେ ବଜ୍ରପାତ ଘଟି ସ୍କୁଲର ବହୁ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ବଜ୍ରପାତରେ କିଛି ପିଲାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଛି । ସମସ୍ତ ଛାତ୍ରଛାତ୍ରୀଙ୍କୁ ପାଟକୁରା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଆହତ ହୋଇଥିବା ସବୁ ପିଲା ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ୁଥିଲେ ବୋଲି ଜଣାପଡ଼ିଛି ।

ଏକ ହାଇସ୍କୁଲରେ ଅସ୍ଥାୟୀ ଭାବେ ଆଦର୍ଶ ବିଦ୍ୟାଳୟ ଚାଲିଥିଲା । ଛୋଟ ଛୋଟ ପିଲାଙ୍କ ଉପରେ ବଜ୍ରପାତ ମାଡ଼ ହୋଇ ସେମାନେ ଆହତ ହେବା ଘଟଣାକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକମାନେ ଚିନ୍ତିତ ହୋଇ ରହିଛନ୍ତି । ସୂଚନାଯୋଗ୍ୟ ଯେ, ଗତବର୍ଷ ରାଜ୍ୟର ଦେବଗଡ଼ ଜିଲ୍ଲାରେ ବଜ୍ରପାତ ଘଟି ୧୦ରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀ ଗୁରୁତର ହୋଇଥିଲେ । ଏପରିକି ବଜ୍ରପାତରେ ସ୍କୁଲର ଛାତ ଘର କଣା ମଧ୍ୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.