fbpx

PM E-Bus Seva ଯୋଜନାରେ ଦେଶର ଜନସାଧାରଣ କ’ଣ ସବୁ ସୁବିଧା ପାଇବେ?

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟରେ ପିଏମ ବିଶ୍ୱକର୍ମା ଯୋଜନା ଓ ପିଏମ ଇ-ବସ ସେବାକୁ ମଞ୍ଜୁରୀ ମିଳିଛି । ଇ-ବସ ଦେବା ଯୋଜନା ମାଧ୍ୟମରେ ଦେଶର ୧୦୦ଟି ସହରରେ ୧୦ ହଜାର ଇଲେକ୍ଟ୍ରିକ ବସ ଚାଲିବ । ପବ୍ଲିକ-ପ୍ରାଇଭେଟ ପାର୍ଟନରଶିପ୍ ମୋଡ଼ରେ ଏହି ଯୋଜନା ୨୦୩୭ ମସିହା ପର୍ଯ୍ୟନ୍ତ ଜାରି ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଯୋଜନାକୁ ମଞ୍ଜୁରୀ ମିଳିଥିବା ବେଳେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏନେଇ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତ ।

ଇ-ସେବା ଯୋଜନା ପାଇଁ ସରକାର ୫୭,୬୧୩ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି । ସେଥିମଧ୍ୟରୁ କେନ୍ଦ୍ର ସରକାର ୨୦ ହଜାର ଓ ଅବଶିଷ୍ଟ ରାଶି ରାଜ୍ୟ ସରକାର ବହନ କରିବେ । ଗ୍ରୀନ ମୋବିଲିଟି ଓ ଜଳବାୟୁ ପରିବର୍ତ୍ତନକୁ ଧ୍ୟାନରେ ରଖି ସରକାର ଦେଶରେ ଇଲେକ୍ଟ୍ରିକ ଯାନର ପ୍ରୟୋଗକୁ ଗୁରୁତ୍ୱ ଦେଉଛନ୍ତି । ତେଣୁ ଦେଶର ୧୦୦ଟି ସହରରେ ୧୦ ହଜାର ଇଭି ବସ ଚଳାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।

ତେବେ ଏହି ଯୋଜନା ମାଧ୍ୟମରେ ଜନସାଧାରଣ କ’ଣ ସବୁ ଫାଇଦା ପାଇବେ ତାହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ । କେଉଁ ସବୁ ସହରରେ ଏହି ଇ-ବସ ଚାଲିବ ସେନେଇ କିଛି ସ୍ପଷ୍ଟ କରାଯାଇ ନାହିଁ । ତେବେ କିଛି ବଛା ବଛା ସହରରେ ଏହି ସେବା ଉପଲବ୍ଧ ହେବ । ଯେଉଁଠାରେ ଅର୍ଗାନାଇଜଡ ବସ ସେବା ଉପଲବ୍ଧ ନଥିବ ଓ ୩ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରକୁ ପ୍ରାଥମିକତା ଦିଆଯିବ । ଏହି ଯୋଜନା ମାଧ୍ୟମରେ ସମସ୍ତ ରାଜଧାନୀ, କେନ୍ଦ୍ରଶାସିତ ଅଞ୍ଚଳ, ନର୍ଥ-ଇଷ୍ଟ ରାଜ୍ୟ ଓ ହିଲ ଷ୍ଟେସନକୁ କଭର କରାଯିବ । ଏହି ସ୍କିମ ପ୍ରତ୍ୟକ୍ଷ ରୂପରେ ୪୫ ହଜାରରୁ ୫୫ ହଜାର ଲୋକଙ୍କୁ ରୋଜଗାର ପ୍ରଦାନ କରିବ । ଗ୍ରୀନ ଅର୍ବାନ ମୋବିଲିଟି ଅଧିନରେ ବାଇକ ଶେୟାରିଂ, ଜାତୀୟ କମନ ମୋବିଲିଟି କାର୍ଡ, ଇଣ୍ଟେଲିଜେଣ୍ଟ ଟ୍ରାଞ୍ଜିଟ ମ୍ୟାନେଜମେଣ୍ଟ ସିଷ୍ଟମ, ମଲଟିମଡେଲ ଇଣ୍ଟରଚେଞ୍ଜ ପରି ନୂଆ ସୁବିଧା ସବୁ ଆମର୍ଭ କରାଯିବ ।

Get real time updates directly on you device, subscribe now.