fbpx

ଅକ୍ଷୟ କୁମାର ଏବେ ଭାରତୀୟ: ଜଣଙ୍କୁ କିପରି ମିଳେ ଭାରତର ନାଗରିକତା, ଏଥିପାଇଁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ବଲିଉଡ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ଏବେ ଭାରତୀୟ । ଅକ୍ଷୟଙ୍କୁ ଦ୍ୱିତୀୟ ଥର ପାଇଁ ଭାରତର ନାଗରିକତା ମିଳିଛି । ଫିଲ୍ମ କ୍ୟାରିୟରରେ ସେ ସଫଳତା ନ ପାଇବାରୁ ୧୯୯୦ ମସିହାରେ ଅକ୍ଷୟ ଭାରତର ନାଗରିକତା ଛାଡ଼ି ଦେଇଥିଲେ । ତା’ପରେ ସେ କାନାଡ଼ାରେ ବସବାସ କରିବା ସହ ସେହି ଦେଶର ନାଗରିକତା ଗ୍ରହଣ କରିନେଇଥିଲେ । ତେବେ ଜଣକୁ କିପରି ଭାରତର ନାଗରିକତା ମିଳେ, ଏଥିପାଇଁ କ’ଣ ସବୁ ଆଇନ ରହିଛି ଏହା ବିଷୟରେ ଆପଣମାନେ ଜାଣିଛନ୍ତି କି?

ଭାରତର ନାଗରିକତା ପ୍ରାପ୍ତ କରିବା ପାଇଁ ହେଲେ ଜଣେ ଭାରତୀୟ ନାଗରିକତା ଅଧିନିୟମ ୧୯୫୫ ଅନୁସାରେ ଯୋଗ୍ୟ ହେବା ଆବଶ୍ୟକ । ଯଦି କେହି ଭାରତରେ ୧୨ ବର୍ଷରୁ ଅଧିକ ସମୟ ଧରି ରହିଆସୁଥିବେ, ତେବେ ସେ ଭାରତର ନାଗରିକତା ପାଇଁ ଆବେଦନ କରିପାରିବେ । ସେହିପରି ଯଦି କାହାର ଦାଦା-ଦାଦି ବା ପରିବାରର ଅନ୍ୟ କୌଣସି ସଦସ୍ୟ ଭାରତରେ ରହୁଥିବେ ଓ ସେ ବିଦେଶରେ ରହୁଥାନ୍ତି, ତେବେ ବଂଶଗତ ଆଧାରରେ ଉକ୍ତ ବ୍ୟକ୍ତି ଭାରତର ନାଗରିକତା ପାଇଁ ଆବେଦନ କରିପାରିବେ ।

ଭାରତର ନାଗରିକତା ନେବା ଓ ରଦ୍ଦ କରିବାକୁ ନେଇ ୧୯୫୫ର ଏକ ଆଇନ ରହିଛି । ଏହି ଆଇନରେ ବର୍ତ୍ତମାନ ସୁଦ୍ଧା ଅନେକ ଥର ସଂଶୋଧନ କରାଯାଇଛି । ୧୯୫୦ ମସିହା ଜାନୁଆରୀ ୨୬ ପରେ ଯିଏ ଭାରତରେ ଜନ୍ମଗ୍ରହଣ କରିଥିବ, ସେ ଭାରତର ନାଗରିକ ହୋଇପାରିବେ । ଯଦି ପିତାମାତାଙ୍କ ମଧ୍ୟରୁ ଜଣେ ଭାରତର ନାଗରିକ ହୋଇଥିବେ, ତେବେ ୧୯୮୭ ମସିହା ଜୁଲାଇ ୧ ପରେ ଜନ୍ମଗ୍ରହଣ ପରେ ଜଣେ ବ୍ୟକ୍ତି ଭାରତର ନାଗରିକ ହୋଇପାରିବ । ଯଦି ଜଣେ ବ୍ୟକ୍ତି ବିଦେଶରେ ଜନ୍ମ ଗ୍ରହଣ କରିଥିବେ, ମାତ୍ର ପିତାମାତାଙ୍କ ମଧ୍ୟରୁ ଜଣେ ଭାରତର ନାଗରିକ ହୋଇଥିବେ ତେବେ ସେ ଭାରତୀୟ ନାଗରିକ ହୋଇପାରିବେ । ମାତ୍ର ବିଦେଶରେ ଜନ୍ମିତ ଶିଶୁ ବର୍ଷକ ଭିତରେ ଭାରତୀୟ ଦୂତାବାସକୁ ଯାଇ ରେଜିଷ୍ଟ୍ରେସନ କରିବାର ସର୍ତ୍ତ ରହିଛି ।

ଭାରତର ନାଗରିକତା ଗ୍ରହଣ କରିବାକୁ ହେଲେ ଦେଶରେ ଅତି କମରେ ୧୧ ବର୍ଷ ରହିବାକୁ ପଡ଼ିବ । ୨୦୧୯ରେ ଏହି ଆଇନରେ ସଂଶୋଧନ କରାଯାଇଥିଲା । ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ଅଳ୍ପସଂଖ୍ୟକ ଶରଣାର୍ଥୀଙ୍କୁ ନାଗରିକତା ମିଳିବାର ସମୟସୀମା ୧୧ ବର୍ଷକୁ ହ୍ରାସ କରାଯାଇ ୬ ବର୍ଷ କରାଯାଇଥିଲା । ଏହି ତିନି ଦେଶରୁ ଆସିଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ, ଖ୍ରୀଷ୍ଟିଆନ ଧର୍ମର ଶରଣାର୍ଥୀ ଭାରତର ନାଗରିକତା ଗ୍ରହଣ କରିବାକୁ ହେଲେ ଭାରତରେ ଅତିକମରେ ୬ ବର୍ଷ ରହିବାକୁ ପଡ଼ିବ ।

Get real time updates directly on you device, subscribe now.