fbpx

ଢେଙ୍କାନାଳ: ଘର ଛାତ ଉପରୁ ବାହାରିଲା ୧୪ ଫୁଟର ଅହିରାଜ ସାପ, ଯାହାର ଓଜନ ରହିଛି…

ଓଡିଶା ଭାସ୍କର: ଘର ଛାତ ଉପରୁ ଏକ ୧୪ ଫୁଟ ଲମ୍ବର ଅହିରାଜ ଉଦ୍ଧାର । ଯାହାର ଓଜନ ପ୍ରାୟ ୮ କେଜି ହେବ ବୋଲି ଅନୁମାନ କରାଯାଉଛି । ଢେଙ୍କାନାଳ ଜିଲ୍ଲା କପିଳାସ ବନ ବିଭାଗ ରେଞ୍ଜ ଅନ୍ତର୍ଗତ ଦହିମାଳା ଶବର ସାହି ଅଞ୍ଚଳରରୁ ଏହି ବିଶାଳ ଅହିରାଜକୁ ଉଦ୍ଧାର କରାଯାଇଛି । ଉକ୍ତ ସାହିର କମଳା ଦେହୁରୀଙ୍କ ଘରର ଆଜବେଷ୍ଟସ ଛାତ ଉପରେ ଏହି ଅହିରାଜ ସାପ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଉଦ୍ଧାରକାରୀ ଟିମଙ୍କ ସହ ଯୋଗାଯୋଗ କରିଥିଲେ ଗ୍ରାମବାସୀ ।

ତେବେ ଏହାର ଖବର ପାଇ ବଣୟାକ ଫାଉଣ୍ଡେସନର ସଦସ୍ୟମାନେ ତୁରନ୍ତ ଗାଁରେ ପହଞ୍ଚି ଅହିରାଜକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପ୍ରାୟ ୮ କେଜି ଓଜନର ଏହି ବିଷଧର ସାପଟିକୁ ପରେ କପିଳାସ ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି । କମଳା ଦେହୁରୀଙ୍କ ଘରୁ ଉଦ୍ଧାର ହୋଇଥିବା ଏହି ସାପଟି ବୟସ୍କ ବୋଲି ଜଣାପଡ଼ିଛି। ବଣୟାକ ଫାଉଣ୍ଡେସନର ଜଣେ ସଦସ୍ୟ କହିଛନ୍ତି ଯେ, ଖାଦ୍ୟ ଅନ୍ୱେଷଣରେ ସାପଟି ଗାଁ ଭିତରକୁ ଯାଇଥିଲା।

ଉଲ୍ଲେଖଯୋଗ୍ୟ, ଅହିରାଜ ବିଶ୍ୱର ଅନ୍ୟତମ ଦୀର୍ଘତମ ବିଷଧର ସାପ । ଛାତ ଉପରୁ ଏହି ସାପଟି ଉଦ୍ଧାର ହେବା ପରେ ଘର ଲୋକ ଗୋଟିଏ ବଡ ବିପଦରୁ ମୁକ୍ତି ପାଇଛନ୍ତି ବୋଲି କହିଛନ୍ତି । ବର୍ତ୍ତମାନ ବର୍ଷା ଋତୁ ଚାଲିଥିବାରୁ ଏଣେତେଣେ ସରୀସୃପ ମାନେ ବୁଲୁଛନ୍ତି । ଏଣୁ ସତର୍କ ରହିବା ସହିତ ସେମାନଙ୍କୁ ଦେଖିଲେ ଭୟବୀତ ହୁଅନ୍ତୁ ନାହିଁ । ଯଦି ସେମାନେ ଜନବସତି ସ୍ଥାନରେ ପଶିଥିବା ଦେଖୁଛନ୍ତି ତାହେଲେ ସ୍ନେକ ହେଲ୍ପ ଲାଇନ ସହ ଯୋଗାଯୋଗ କରନ୍ତୁ । ସେମାନଙ୍କୁ ନିଜେ ଧରିବାକୁ କିମ୍ବା ଆଘାତ ଦେବାକୁ ଚେଷ୍ଟା ଆଦୌ କରନ୍ତୁ ନାହିଁ ।

Get real time updates directly on you device, subscribe now.